କେନ୍ଦୁଝର: ନଡିଆରାଣୀ ମା' ତାରିଣୀ । ମା'ଙ୍କୁ ଗୋଟା ନଡିଆ ଭାରି ପ୍ରିୟ। ଏଥିଲାଗି ତ ଶହଶହ ମାନସିକ ନଡିଆ ଆସି ପହଞ୍ଚିଥାଏ କେନ୍ଦୁଝର ଜିଲ୍ଲାର ଅରାଧ୍ୟ ଦେବୀ ଘଟଗାଁର ମା ତାରିଣୀଙ୍କ ନିକଟରେ । ଆଉ ମା'ଙ୍କ ଭୋଗ ନଡିଆରୁ ପ୍ରସ୍ତୁତ ନଡିଆ କୋରାକୁ ବିକ୍ରି କରି ବେଶ୍ ଦି ପଇସା ରୋଜଗାର କରିଥାନ୍ତି ସ୍ଥାନୀୟ ଅଞ୍ଚଳର ଶତାଧିକ ବ୍ୟବସାୟୀ । କିନ୍ତୁ ବିଗତ ବର୍ଷର ଲକ୍ଡାଉନରେ ଧାର୍ମିକ ଅନୁଷ୍ଠାନ ବନ୍ଦ ଥିବା କାରଣରୁ ନଡିଆ ଲଡୁ ବ୍ୟବସାୟୀଙ୍କ ବ୍ୟବସାୟ ବି ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଥିଲା। ଏବେ କିନ୍ତୁ ପରିସ୍ଥିତି ବଦଳିଛି । ଦୀର୍ଘ ଦିନ ପରେ ଗତ ଜାନୁଆରୀ 18ରେ ଖୋଲିଛି ମା'ଙ୍କ ପୀଠ । ଏହାପରେ ବ୍ୟାକୁଳ ଭକ୍ତ ଧାଇଁ ଆସିଛନ୍ତି ମା'ଙ୍କ ନିକଟକୁ । ଆଉ ଏହି ସବୁ ଭିତରେ ହାତ ବାନ୍ଧି ବସିଥିବା କ୍ଷୁଦ୍ର ବ୍ୟବସାୟୀଙ୍କ ମୁହଁରେ ଫୁଟିଛି ହସ ।
ନଡ଼ିଆ ଲଡୁ ବା କୋରା ମା'ଙ୍କ ନଡ଼ିଆରୁ ପ୍ରସ୍ତୁତ ହେଉଥିବାରୁ ଏହାର ଚାହିଦା ଅଧିକ । ଏହାକୁ ବିକି ଏଠାକାର ସ୍ଥାନୀୟ ବାସିନ୍ଦା ନିଜ ଗୁଜୁରାଣ ମେଣ୍ଟାନ୍ତି । କିନ୍ତୁ ମହାମାରୀ ଲକଡାଇନ ସବୁ ଓଲଟପାଲଟ କରିଦେଇଥିଲା । ଏବେ କଟକଣା କୋହଳ ହେବା ଯୋଗୁଁ ମନ୍ଦିର ଖୋଲିଛି ଫଳରେ ସ୍ଥାନୀୟ ନଡ଼ିଆ ଲଡୁ ବ୍ୟବସାୟୀଙ୍କ ମନରେ ଆଶାର ସଞ୍ଚାର ହୋଇଛି । ଦର୍ଶନ ପାଇଁ ଶ୍ରଦ୍ଧାଳୁ ଆସିବାରୁ ନଡ଼ିଆ ଲଡୁ ବିକ୍ରି କରି ବେଶ ଦି ପଇସା ରୋଜଗାରର କରିବେ । କିନ୍ତୁ ବର୍ତ୍ତମାନ କୋରୋନା କଟକଣା ପାଇଁ ନଡ଼ିଆ ଭୋଗ ପାଇଁ ବାରଣ ରହିଛି ।