କେନ୍ଦୁଝର: ବଣ ପାହାଡ ଘେରା ପ୍ରାକୃତିକ ପରିବେଶରେ ଭରପୁର କେନ୍ଦୁଝର ଜିଲ୍ଲା । ସୁଉଚ୍ଚ ପାହାଡ ଆକାଶର ମେଘ ସହ କଥା ହେଉଥିବା ବେଳେ ଝରଣାର କୁଳୁକୁଳୁ ଶବ୍ଦ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଏହି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିଲା ଦିନେ ଘଟଗାଁ ବ୍ଲକ ଅନ୍ତର୍ଗତ ଚିକିଣିଆ ଠାରେ ଥିବା ପାର୍କ । ଏହି ପାର୍କକୁ ପ୍ରଶାସନ ଜିଲ୍ଲା ପାର୍କର ମାନ୍ୟତା ପ୍ରଦାନ କରିଥିଲେ । ଏହି ପାର୍କ ଏକ ସମୟରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରାଣକେନ୍ଦ୍ର ଥିବା ବେଳେ ବହୁ ଦେଶୀ ବିଦେଶୀ ପର୍ଯ୍ୟଟକଙ୍କ ଆକର୍ଷଣ ର କେନ୍ଦ୍ରବିନ୍ଦୁ ଥିଲା । ହେଲେ ପ୍ରଶାସନିକ ଅବହେଳା ଯୋଗୁଁ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି ପାର୍କ । କିନ୍ତୁ ଏବେ ଏହି ଜିଲ୍ଲା ପାର୍କର ପୁନଃରୁଦ୍ଧାର ପାଇଁ ଅଣ୍ଟା ଭିଡିଛନ୍ତି କିଛି ସ୍ଥାନୀୟ ଯୁବକ ।
ଏହା ସାଙ୍ଗକୁ ଭାଙ୍ଗିରୁଜି ଯାଇଥିବା ଛତା ଘର, ଚେୟାର, ମଣ୍ଡପ ଆଦିକୁ ନିଜ ଖର୍ଚ୍ଚରେ ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ଏହି ଯୁବକ ସଙ୍ଘର ଯୁବକ ମାନେ । ଏହା ସହ ଏହି ପାର୍କ ର ମନ ମହୁଥିବା ସୁନ୍ଦର ସୁନ୍ଦର ଫୁଲ ଗଛକୁ ମଧ୍ୟ ଏମାନେ ଲଗେଇବା ଆରମ୍ଭ କରିଛନ୍ତି । ପାଳି କରି ଏହି ପାର୍କ ରେ ଥିବା ପୁଷ୍କରିଣୀ କୁ ସଫା କରିଥିବା ବେଳେ ଏହାର ଚାରିପାଖ କୁ ଘାସ ଗାଲିଚା ବିଛେଇବା ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । ଏହି ପାର୍କ ରେ ଥିବା ଚେକ ଡ୍ୟାମ ଚାରିପାଖକୁ ସଫା ସୁତୁରା କରୁଛନ୍ତି । ଏହା ସାଙ୍ଗକୁ ନିକଟରେ ଥିବା ଛୋଟ ଝରଣା କୁ ଯିବା ପାଇଁ ପଥ ମଧ୍ୟ ପ୍ରସ୍ତୁତ କରୁଛନ୍ତି ଏହି ଉଦ୍ୟମି ଯୁବକ ମାନେ ।