ଆନନ୍ଦପୁର: ତୁଳସୀ ଦୁଇ ପତ୍ରରୁ ବାସେ, ଉକ୍ତିଟିକୁ ସମସ୍ତେ ଜାଣିଥିଲେ ମଧ୍ୟ ସାର୍ଥକ କରି ଦେଖାନ୍ତି ଅଳ୍ପ କିଛି । ତୃତୀୟ ଶ୍ରେଣୀରୁ ଡିଜେ ଗାଡି ନିର୍ମାଣ କରି ପ୍ରଶଂସା ସାଉଁଟିଥିଲେ ଓ ବର୍ତ୍ତମାନ ସୌରଶକ୍ତିରେ ଚାଲୁଥିବା ସାଇକେଲ ନିର୍ମାଣ କରି ଜିଲ୍ଲାର ଗର୍ବ ସାଜିଛନ୍ତି ନବମ ଶ୍ରେଣୀ ଛାତ୍ର ବିଶ୍ବବନ୍ଧୁ ।
ପାଣି, ପବନ, ସୌରଶକ୍ତି ଓ ବ୍ୟାଟେରୀ ସଂଯୋଗରେ ନିର୍ମାଣ ହୋଇଛି ସାଇକେଲ । ଏପରି ଅଭିନବ ସାଇକେଲ ନିର୍ମାଣ କରିଛନ୍ତି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ତରିମୂଳ ଗାଁର କୁନି ବୈଜ୍ଞାନିକ ବିଶ୍ବବନ୍ଧୁ ଓଝା । ପାଣି ଟର୍ବାଇନ୍ ଯୋଗେ 12 ଭୋଲ୍ଟ, ସୋଲାର ପ୍ୟାନେଲରୁ 6 ଭୋଲ୍ଟ ଓ 2ଟି ଫ୍ୟାନରୁ 6 ଭୋଲ୍ଟ ଚାର୍ଜ ମିଳିଥାଏ । ସମୁଦାୟ 24 ଭୋଲ୍ଟ ଚାର୍ଜରେ ସାଇକେଲ ଗତିଶୀଳ ହୋଇଥାଏ । ପାଖାପାଖି 60 କିଲୋଗ୍ରାମ ଓଜନ ବହନ କରି ଘଣ୍ଟା ପ୍ରତି 30କିଲୋମିଟର ଏହା ଗତି କରିପାରିବ ।