କେନ୍ଦୁଝର: ଦୋଳେଷୁ ଦୋଳ ଗୋବିନ୍ଦ, ଚାପରେ ମଧୁସୂଦନ । ରଥୟଂ ବାମନ ଦୃଷ୍ଟା ପୁନର୍ଜନ୍ମ ନ ବିଦ୍ୟତେ । ପବିତ୍ର ଅକ୍ଷୟ ତୃତୀୟା ଠାରୁ କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ୨୧ ଦିନାତ୍ମକ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥିଲା । ଶନିବାର ଯଥାରୀତିରେ ଶ୍ରୀବଳଦେବଜୀଉଙ୍କ ଚନ୍ଦନ ଯାତ୍ରା ସମାପନ ହୋଇଛି । ଚାପ ଉପରେ ମଧୁସୂଦନ ରୁପି ବିଜେ ପ୍ରତିମାଙ୍କ ଦର୍ଶନ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁମାନେ ପୂଣ୍ୟ ଅର୍ଜନ କରିଛନ୍ତି । ଚନ୍ଦନ ଯାତ୍ରାର ଅନ୍ତିମ ଦିନରେ ବିଶେଷ ନୀତିକାନ୍ତି ସହ ସିଦ୍ଧ ଜଗନ୍ନାଥ ଏବଂ ବନବିହାରୀଙ୍କ ଚଳନ୍ତି ପ୍ରତିମା ଏହି ଚାପ ଖେଳିଥିଲେ ।
ସୁସଜ୍ଜିତ ହଂସମୁଖ ଚାପ ଉପରେ ୨୧ ବେଢା ପରିକ୍ରମା କରି ଚାପ ଖେଳିଥିଲେ ପ୍ରଭୁ । ଏହି ଅବସରରେ ଅନ୍ତିମ ଦିବସରେ ମହାପ୍ରଭୁଙ୍କ ଚାପ ଖେଳ ଦେଖିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା । ଅନ୍ୟ ଜଗନ୍ନାଥ ମନ୍ଦିରରେ ୭ ଦିନ ଚନ୍ଦନ ଯାତ୍ରା ହେଉଥିବା ଦେଖିବାକୁ ମିଳୁଥିବାବେଳେ କେନ୍ଦୁଝର ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରରେ ୨୧ଦିନ ଧରି ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବାର ସ୍ବତନ୍ତ୍ର ପରମ୍ପରା ରହିଛି । ଜଗନ୍ନାଥ ସଂସ୍କୃତିରେ ଅନୁଷ୍ଠିତ ଦ୍ଵାଦଶ ଯାତ୍ରା ମଧ୍ୟରୁ ଚନ୍ଦନଯାତ୍ରା ଅନ୍ୟତମ ।
ଶ୍ରୀକ୍ଷେତ୍ର ପରି କେନ୍ଦୁଝର ଇଷ୍ଟଦେବତା ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ମଧ୍ୟ ଅକ୍ଷୟ ତୃତୀୟା ଦିନଠାରୁ ଏହି ୨୧ ଦିନାତ୍ମକ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥିଲା । ପ୍ରତିଦିନ ଅପରାହ୍ନରେ ଶ୍ରୀ ଶ୍ରୀବଳଦେବଜୀଉଙ୍କ ବିଜେ ପ୍ରତିମା, ଶ୍ରୀଜଗନ୍ନାଥଙ୍କ ବିଜେ ପ୍ରତିମା, ମହାଲକ୍ଷ୍ମୀଙ୍କ ବିଜେ ପ୍ରତିମା ଓ ମଦନମୋହନ ବଳଦେବଜିଉ ମନ୍ଦିରରୁ ସୁସଜ୍ଜିତ ପାଲିଙ୍କିରେ ଆସିଥିବାବେଳେ ରାଜ ଉଆସର ଜୟ ଗୋପାଳ, ରାଧା, ଦୂତିକା ଆଦି ସୁସଜ୍ଜିତ ପାଲିଙ୍କିରେ ବସି ଚାପ ଖେଳିବା ନିମନ୍ତେ ରାଜ ଉଆସ ସନ୍ନିକଟ ଚନ୍ଦନ ପୋଖରୀ (ମାଟିଆବନ୍ଧ) ପୋଖରୀକୁ ଆସିଥାନ୍ତି ।