କେନ୍ଦୁଝର: ରାଜ୍ୟରେ ବଢିଚାଲିଛି କୋରୋନାର ପ୍ରକୋପ । ପ୍ରତିଦିନ ବାହାରୁଛନ୍ତି ଶତାଧିକ ନୂଆ ଆକ୍ରାନ୍ତ । ଏପରି ସ୍ଥିତିରେ ମୁକାବିଲା ପାଇଁ ଦୃଢ ପଦକ୍ଷେପ ନେଉଛି କେନ୍ଦୁଝର ଜିଲ୍ଲା ପ୍ରଶାସନ । ଗ୍ରହଣ କରାଯାଇଛି ବ୍ୟାପକ ବ୍ୟବସ୍ଥା । ଅଭିଜ୍ଞ କର୍ମଚାରୀଙ୍କ ଦ୍ଵାରା ହେଉଛି ସ୍ୱାବ ଟେଷ୍ଟିଂ ।
କୋରୋନାକୁ ସମ୍ପୂର୍ଣ୍ଣ ମୂଳପୋଛ ଲକ୍ଷ୍ୟ, କେନ୍ଦୁଝର ପ୍ରଶାସନର କଡା ପଦକ୍ଷେପ ସେପଟେ ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ନିର୍ମିତ ହୋଇଛି 200 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଏବଂ ଟାଟା ହସ୍ପିଟାଲରେ ଅଛି ଆଉ 50 ବେଡ୍ । ଏଠାରେ ଆକ୍ରାନ୍ତଙ୍କର ରଖାଯାଉଛି ସ୍ବତନ୍ତ୍ର ଧ୍ୟାନ । ଏହା ସହିତ ଜିଲ୍ଲାର ସମସ୍ତ ବ୍ଲକକୁ ମିଶାଇ ଆଇସୋଲେସନ ଏବଂ କୋଭିଡ୍ କେୟାର ପାଇଁ 1600 ଶଯ୍ୟା ମଧ୍ୟ ଉପଲବ୍ଧ ରହିଛି । ଜିଲ୍ଲାରେ କେହି ଚିକିତ୍ସା ଅବହେଳାର ଶିକାର ହେବେନି ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଜିଲ୍ଲାପାଳ ।
ସେପଟେ ଜିଲ୍ଲାରେ ବଢିଚାଲିଛି ସୁସ୍ଥ ଲୋକଙ୍କ ସଂଖ୍ୟା । କୋରୋନାକୁ ମାତ ଦେଉଛନ୍ତି ସାଧାରଣ ଲୋକଙ୍କଠାରୁ କୋରୋନା ଯୋଦ୍ଧା । ନିକଟରେ ମହାମାରୀରୁ ସୁସ୍ଥ ହୋଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ୍ରାଇଭର ଥିବା ଲକ୍ଷ୍ମଣ । ସ୍ବାବ ନେଇ ଭୁବନେଶ୍ବର ଯିବାବେଳେ ସେ ବାହାରିଥିଲେ ପଜିଟିଭ । କୋଭିଡ ହସ୍ପିଟାଲରେ ଚିକିତ୍ସା ପରେ ଫେରିଛନ୍ତି ଘରକୁ । ଏଥିପାଇଁ ସରକାରୀ ବ୍ୟବସ୍ଥାକୁ ସେ କରିଛନ୍ତି ପ୍ରଶଂସା । ହସ୍ପିଟାଲରେ ତାଙ୍କର ସମସ୍ତ ପ୍ରକାର ଯତ୍ନ ନିଆଯିବା ସହ ଉପଯୁକ୍ତ ଖାଦ୍ୟପେୟ ଯୋଗାଯାଇଥିବା କହିଛନ୍ତି ଲକ୍ଷ୍ମଣ । ଏହାସହ ସରକାରୀ ନିୟମ ମାନି ଲକ୍ଷଣ ଦେଖାଦେଲେ ଶୀଘ୍ର ଜଣାଇବାକୁ ଲୋକଙ୍କୁ କରିଛନ୍ତି ନିବେଦନ ।
କୋରୋନାକୁ ସମ୍ପୂର୍ଣ୍ଣ ମୂଳପୋଛ କରିବାକୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ଚଲାଇଛି ଆପ୍ରାଣ ଉଦ୍ୟମ । ଲୋକଙ୍କୁ ସଚେତନ କରିବା ସହ କଟକଣା କଡାକଡି ହୋଇଛି । ସେହିପରି ପ୍ରତି ଆକ୍ରାନ୍ତଙ୍କୁ ଚିକିତ୍ସା ଯୋଗାଇଦେବାରେ କରାଯାଇଛି ସୁବ୍ୟବସ୍ଥା ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ