ଭୁବନେଶ୍ବର:କେନ୍ଦୁଝର ଜିଲ୍ଲାର ଧରଣୀଧର ସ୍ବୟଂଶାସିତ କଲେଜ ହେଲା ବିଶ୍ବବିଦ୍ୟାଳୟ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଦୀର୍ଘ ଦିନ ଧରି ଧରଣୀଧର ସ୍ବୟଂଶାସିତ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି କରି ଆସୁଥିଲେ କେନ୍ଦୁଝରବାସୀ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଧରଣୀଧର ସ୍ବୟଂଶାସିତ କଲେଜକୁ ବିଶ୍ବବିଦ୍ୟାଳୟ ଭାବେ ଘୋଷଣା କରାଯାଇଛି । ଆସନ୍ତାକାଲି କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
1957 ମସିହାରେ କେନ୍ଦଝର ଜିଲ୍ଲାରେ ଧରଣୀଧର ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ମହାବିଦ୍ୟାଳୟ ପ୍ରତିଷ୍ଠା ପର ଠାରୁ ଏଠାରେ ହଜାର ହଜାର ଛାତ୍ରଛାତ୍ରୀ ପାଠ ପଢ଼ି ବିଭିନ୍ନ ଉଚ୍ଚ ପଦପଦବୀରେ ଅବସ୍ଥାପିତ ହୋଇଛନ୍ତି । ଏହି ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ଘୋଷଣା କରିବାକୁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲା । ଦୀର୍ଘର ଦିନର ଦାବି ପୂରଣ ହେବା ପରେ କେନ୍ଦୁଝରବାସୀ ଖୁସି ବ୍ୟକ୍ତ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ:ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଜୟପୁର ବିକ୍ରମଦେବ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା
ସୂଚନା ଥାଉକି, କିଛିଦିନ ପୂର୍ବରୁ ଜୟପୁର ବିକ୍ରମଦେବ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦିଆଯାଇଛି । ଜୟପୁରର ପ୍ରସିଦ୍ଧ ଉଚ୍ଚ ଶିକ୍ଷାନୁଷ୍ଠାନ ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ତଥା ଛାତ୍ରଛାତ୍ରୀ ମାନଙ୍କର ବହୁ ଦିନର ଦାବି ପୂରଣ ହୋଇଥିବା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ ।