କେନ୍ଦୁଝର: ସର୍ବୋଚ୍ଚ ନ୍ୟାୟଳୟ ଦ୍ୱାରା ଗଠିତ ସିଇସିର ୩ ଜଣ ସଦସ୍ୟ ମଙ୍ଗଳବାର ସଂଧ୍ୟାରେ କେନ୍ଦୁଝରରେ ପହଁଚିଥିଲେ । ପି ଭି ଜୟକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ସଦସ୍ୟ ଅମରନାଥ ସେଠୀ ଓ ମହେନ୍ଦ୍ର ବ୍ୟାସ କେନ୍ଦୁଝର ଗସ୍ତରେ ଆସି ବୁଧବାର ଚମ୍ପୁଆ ସବଡିଭିଜନ ଅନ୍ତର୍ଗତ ମିରିଗିସିଙ୍ଗା ଗସ୍ତ କରିଛନ୍ତି । ସେଠାରେ ନିର୍ମାଣ ହେବାକୁ ଥିବା ବୃହତ ପାନୀୟ ଜଳ ପ୍ରକଳ୍ପ ବୁଲି ଦେଖିଛନ୍ତି । ପରିଦର୍ଶନ ବେଳେ ପ୍ରକଳ୍ପ ସମ୍ବଦ୍ଧିତ ତଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ ।
ସେଠାରେ ହେବାକୁ ଥିବା ଏହି ପାନୀୟ ଜଳ ପ୍ରକଳ୍ପର କ୍ଷମତା ୫୯ ଏମଏଲଡି ରହିଛି । ଏଥିରେ ଚମ୍ପୁଆ ବ୍ଲକର ୨୨ ଜିପି, ଝୁମ୍ପୁରା ବ୍ଲକରେ ୨୨ଜିପି, କେନ୍ଦୁଝରର ୨୫ ଜିପି , ବାଂଶପାଳର ୨୧ ଜିପିର ୫୮୯ ଗାଁକୁ ପାଇପ ଯୋଗେ ଵିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ । ଏଠାକାର ୭.୧ ଲକ୍ଷ ଲୋକ ଉପକୃତ ହେବେ । ଏହି ପ୍ରକଳ୍ପ ପାଇଁ ଡିଏମଏଫ ଓ ଓମବାଡସି ଫଣ୍ଡ ମାଧ୍ୟମରେ ୧୦୯୭.୦୪ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଯୋଡ଼ାରୁ ଫେରି ସିଇସି କେନ୍ଦୁଝର ଜୁଡିୟା ଘାଟି ସ୍ଥିତ ପ୍ରକୃତି ନିବାସରେ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ସିଇସି ଟିମ୍ ବାଂଶପାଳର ତଳକଇଁସାରି ଗ୍ରାମରେ ଡିଏମଏଫ ଦ୍ୱାରା ପରିଚାଳିତ ମମତା ଘର ସାଙ୍ଗକୁ ଏହି ପାଣ୍ଠିରୁ ନିର୍ମିତ ପାନୀୟ ଜଳ ଓ ଇନ୍ଦିରା ଆବାସ ବୁଲି ସମୀକ୍ଷା କରିଥିଲେ ।