ଆନନ୍ଦପୁର: ସାଧାରଣ ଗୃହିଣୀରୁ ଗୋପାଳନର ଲମ୍ବାଯାତ୍ରା । ଏଥିପାଇଁ ରାଜ୍ୟ ସ୍ତରରେ ମଧ୍ୟ ସେ ପୁରସ୍କୃତ । ଦୁଇଟି ଗାଈରୁ ଆରମ୍ଭ ହୋଇଥିବା ତାଙ୍କ ଗୁହାଳରେ ଏବେ ଗାଈ ସଂଖ୍ୟା ୧୦ରେ ପହଞ୍ଚିଛି । ଦୈନିକ ପ୍ରାୟ ୪୦ରୁ ୫୦ ଲିଟର କ୍ଷୀର ସେ ଦୁଗ୍ଧ ସମବାୟ ସମିତି ଜରିଆରେ ବିକ୍ରି କରୁଛନ୍ତି । ଆଉ ମାସିକ ୨୫ରୁ ୩୦ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି ।
ଘସିପୁରା ବ୍ଲକ ଗଡ଼ବାନ୍ଧଗୋଡ଼ା ପଞ୍ଚାୟତ ନରଦା ଗ୍ରାମର କଳ୍ପଲତା ସ୍ବାଇଁଙ୍କ ସଫଳତାର କାହାଣୀ ଏବେ ଚର୍ଚ୍ଚାରେ । ସ୍ଵାମୀ ଅଶୋକ କୁମାର ସ୍ବାଇଁ ଜଣେ ଜିଆରଏସ୍। ତାଙ୍କର ସ୍ବଳ୍ପ ବେତନରେ ଘରର ୫ ପ୍ରାଣୀ କୁଟୁମ୍ବ ଚଳିବା କଷ୍ଟକର ହୋଇଥିଲା । ଘରର ପରିସ୍ଥିତି ଦେଖି କିଛି କରିବାକୁ ଅଣ୍ଟା ଭିଡ଼ିଥିଲେ କଳ୍ପଲତା । ୨୦୦୬ ମସିହାରେ ନିଜ ଉଦ୍ୟମରେ ଘରେ ପ୍ରଥମେ ଦୁଇଟି ଜର୍ସି ଗାଈ ରଖିଥିଲେ । ଯେତିକି କ୍ଷୀର ହେଉଥିଲା ଗାଁରେ ବିକ୍ରି କରୁଥିଲେ । ସେଥିରୁ ଯାହା ରୋଜଗାର ହେଉଥିଲା କିଛି ସଞ୍ଚୟ କରୁଥିଲେ । ଆଉ ୨୦୧୨ରେ ସ୍ଥାନୀୟ ବ୍ୟାଙ୍କରୁ ଲୋନ୍ କରି ୪ଟି ଗାଈ ଆଣିଥିଲେ ।
ଗୋପାଳନ ଓ ଯତ୍ନରେ ନିଜକୁ ସମ୍ପୂର୍ଣ୍ଣ ଭାବେ ନିୟୋଜିତ କରିଥିଲେ କଳ୍ପଲତା । ତାଙ୍କ ପରିଶ୍ରମର ମୂଲ୍ୟ ଧୀରେଧୀରେ ମିଳିଥିଲା । କ୍ଷୀର ବିକ୍ରି ପାଇଁ ଓମ୍ଫେଡ୍ ସହାୟତାରେ ନରଦାରେ ଦୁଗ୍ଧ ସମବାୟ ସମିତି ଗଠନ କଲେ । ଏହା ଜରିଆରେ ନିଜ ଉତ୍ପାଦିତ କ୍ଷୀର ବିକ୍ରି କରିବା ସହ ପଡ଼ୋଶୀଙ୍କ ଦୁଗ୍ଧ ସଂଗ୍ରହ କରି ଓମଫେଡକୁ ଯୋଗାଇଲେ । ଧୀରେଧୀରେ ସେ ବ୍ୟାଙ୍କ ଋଣ ଶୁଝିବା ସହ ଏବେ ମାସିକ ୨୫-୩୦ ହଜାର ଟଙ୍କା ଲାଭ କରୁଛନ୍ତି ।