କେନ୍ଦୁଝର: କାଳିମାଟି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ କଂଗ୍ରେସ ଟିମର ସରଜମିନ ତଦନ୍ତ । ଘଟଣାସ୍ଥଳରେ ଯାଇ ସ୍ଥିତି ଅନୁଧ୍ୟାନ କରିଛି କଂଗ୍ରେସ ଟିମ । ପାରିପାର୍ଶ୍ବିକ ସ୍ଥିତିକୁ ନେଇ ଏହା ଦୁଷ୍କର୍ମ ଓ ହତ୍ୟାକାଣ୍ଡ ବୋଲି କଂଗ୍ରେସ କହିଛି । ସେପଟେ ବିଜେପି ମଧ୍ୟ କେନ୍ଦୁଝର ଏସପିଙ୍କୁ ଭେଟି ଘଟଣାର ପର୍ଦ୍ଦାଫାସ କରିବା ପାଇଁ ଦାବି କରିଛି ।
ଗତ ମାସ ୨୬ ତାରିଖରେ ଘଟିଥିବା କାଳିମାଟି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ କଂଗ୍ରେସର ଏକ ସ୍ବତନ୍ତ୍ର ଟିମ ସରଜମିନ ତଦନ୍ତ କରିଛି । କଂଗ୍ରେସ ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଜିଲ୍ଲା କଂଗ୍ରେସର ପଦାଧିକାରୀ ଏହି ଟିମରେ ସାମିଲ ଥିଲେ । ଉକ୍ତ ଟିମ ସରଜମିନ ତଦନ୍ତ ବେଳେ ନାବାଳିକାର ଘରକୁ ଯାଇ ତାଙ୍କ ଘର ଲୋକଙ୍କ ସହ କଥା ହୋଇଥିଲେ । ନାବାଳିକାର ପିତାମାତା ପୂର୍ବରୁ ମୃତ୍ୟୁବରଣ କରିଛନ୍ତି । ପ୍ରକାଶ ଯେ ସକାଳେ ନାବାଳିକା ରହୁଥବା ରୁମର କବାଟ ନଖୋଲିବାରୁ ତାହା ଭାଙ୍ଗି ଦିଆଯାଇଥିଲା । ରୁମରେ ନାବାଳିକାର ମୃତଦେହ ଝୁଲାନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା ।
ସମ୍ପର୍କୀୟ ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଥିଲେ ବି ଗୋଡ ତଳେ ଲାଗିଥିଲା । ତା’ର ଗୁପ୍ତାଙ୍ଗରେ ଗଭୀର କ୍ଷତ ସହ ରକ୍ତସ୍ରାବ ହେଉଥିଲା । ଘଟଣାର ପାରିପାର୍ଶ୍ବିକ ଦୃଶ୍ୟ ଦେଖି ଏଥିରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ସ୍ପଷ୍ଟ ବାରି ହେଉଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏକାଧିକ ବ୍ୟକ୍ତି ହୁଏତ ମିଳିତ ଭାବେ ଦୁଷ୍କର୍ମ କରି ମାରି ନାବାଳିକାକୁ ମାରି ଟାଙ୍ଗି ଦେଇଥିବା ତା’ପରିବାର ଲୋକେ ସନ୍ଦେହ ବ୍ୟକ୍ତ କରିଥିଲେ ।