ଓଡିଶା

odisha

ETV Bharat / state

ଧରାବତରଣ କରିବେ ମା' କାଳୀ, ସଜେଇ ହେଲାଣି କେନ୍ଦୁଝର ସହର - ପାର୍ବଣ ଋତୁ

କୋରୋନା ଯୋଗୁଁ ଦୀର୍ଘ ଦୁଇ ବର୍ଷ ଫିକା ପଡିଥିବା କାଳୀ ପୂଜାକୁ ଚଳିତ ବର୍ଷ ଧୁମଧାମାରେ ପାଳିବେ ରାଜ୍ୟବାସୀ । ଏନେଇ ସଜେଇ ହେଲାଣି କେନ୍ଦୁଝର ସହର । ତୋରଣ ପ୍ରସ୍ତୁତିରେ କାରିଗର ବ୍ୟସ୍ତ ଥିବା ବେଳେ ମାଙ୍କ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ଅଧିକ ପଢନ୍ତୁ

ଧରାବତରଣ କରିବେ ମା' କାଳୀ
ଧରାବତରଣ କରିବେ ମା' କାଳୀ

By

Published : Oct 21, 2022, 10:07 PM IST

କେନ୍ଦୁଝର: ଜାରି ରହିଛି ପାର୍ବଣ ଋତୁ । ମା' ଲକ୍ଷ୍ମୀଙ୍କ ମେଲାଣି ପରେ ଆଉ ଦିନ କେଇଟା ପରେ ଆରମ୍ଭ ହେବ କାଳୀ ପୂଜା(Kali Puja) । ଧରାଧାମକୁ ଓହ୍ଲାଇ ଆସିବେ ମା'କାଳୀ । ମହାମାରୀ କୋରୋନା କଟକଣା ଯୋଗୁଁ ଗତ ଦୁଇବର୍ଷ ହେବ କାଳୀ ପୂଜା ଫିକା ପଡିଥିବା ବେଳେ ଚଳିତ ବର୍ଷ ଧୁମଧାମରେ ପୂଜା ପାଳିବେ ରାଜ୍ୟବାସୀ । ଅଧର୍ମ ଉପରେ ଧର୍ମର ଜୟ ଏବଂ ଅନ୍ଧାର ଉପରେ ଆଲୋକର ପର୍ବ ଦୀପାବଳି ସମେତ ମା ’ କାଳୀଙ୍କ ପୂଜା ପାଇଁ ସଜେଇ ହେଲାଣି କେନ୍ଦୁଝର ସହର ।

ଧରାବତରଣ କରିବେ ମା' କାଳୀ

ଚଳିତ ବର୍ଷ ବିନାକଟକଣାରେ ପୂଜା ପାଳନ ହେବାକୁ ଥିବା ବେଳେ କେନ୍ଦୁଝରରେ ପ୍ରସ୍ତୁତି ଜେରଦାର କରାଯାଇଛି । ମା'ଙ୍କ ଶକ୍ତିପୀଠ ଠାରୁ ଆରମ୍ଭ କରି ପୂଜାମଣ୍ଡପ ପର୍ଯ୍ୟନ୍ତ ସବୁଠି ପ୍ରସ୍ତୁତି ଆରମ୍ଭ ହେଲାଣି । କେଉଁଠି ତୋରଣ ସଜ୍ଜା ଚାଲିଛି ତ କେଉଁଠି ମାଙ୍କ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । କେନ୍ଦୁଝର ସହରର ମାଧପୁରସ୍ଥିତ ମା ' କାଳୀଙ୍କ ଶକ୍ତିପୀଠକୁ ବାଦ୍ ଦେଲେ କାଳିପଡିଆସ୍ଥିତ କାଳୀତୀର୍ଥ ପୂଜା କମିଟି, ଟେଲିଫୋନ ଏକ୍ସଚେଞ୍ଜ ସମ୍ମୁଖ ମା’ କାଳୀପୂଜା କମିଟି ଓ କାଶୀପୁର ଶ୍ମଶାନକାଳୀ ପୂଜା କମିଟି ଆଦି ପ୍ରମୁଖ ୩ଟି ପୂଜାମଣ୍ଡପରେ ସୁଉଚ୍ଚ ତୋରଣ ସାଙ୍ଗକୁ ମା’ଙ୍କ ମୃଣ୍ମୟ ପ୍ରତିମୂର୍ତ୍ତି ଏବଂ ଆଲୋକ ସାଜସଜ୍ଜା ସହ ପୂଜାଉତ୍ସବ ଧୂମଧାମରେ ପାଳିତ ହୋଇ ଆସୁଛି ।

ଏହା ମଧ୍ୟ ପଢନ୍ତୁ: ଅର୍ଚ୍ଚନା ଓ ଧର୍ମେନ୍ଦ୍ର ମାମଲା: ତଦନ୍ତକୁ ନେଇ ପ୍ରେସମିଟରେ ଗର୍ଜିଲା ବିଜେପି, ଆସନ୍ତାକାଲିଠୁ ଅହରାତ୍ର ସତ୍ୟାଗ୍ରହ

ଏନେଇ ଜଣେ ସହରବାସୀ କହିଛନ୍ତି," ରଥଯାତ୍ରା ଏବଂ କାଳୀ ପୂଜା କେନ୍ଦୁଝରର ପ୍ରସିଦ୍ଧ ପର୍ବ । କାଳୀପୂଜା କହିଲେ କାଳୀ ପଡିଆ ଏବଂ ବଡକାଳୀକୁ ବୁଝାଏ । ୨ ବର୍ଷ ହେଲା ଲୋକେ କୋରୋନା କଟକଣା ଯୋଗୁଁ ପୂଜାକୁ ଉପଭୋଗ କରିପାରିନଥିଲେ । ମା'ଙ୍କ କରୁଣାରୁ ବଞ୍ଚିତ ଥିଲେ । ଚଳିତବର୍ଷ ବିନା କଟକଣାରେ ପୂଜାକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି । ଆମର ଏଠାରେ ମିନା ବଜାର ମୁଖ୍ୟ ଆକର୍ଷଣ । ଲୋକମାନେ ବହୁତ ଉପଭୋଗ କରନ୍ତି । ବର୍ତ୍ତମାନ ଆମର ସାଜସଜ୍ଜା ଚାଲିଛି । ମା'ଙ୍କ ମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦୀର୍ଘ ଦୁଇବର୍ଷ ପରେ ପୂଜା ହେଉଥିବାରୁ ସମସ୍ତେ ଉତ୍ସାହିତ ଅଛନ୍ତି ।"

ଚଳିତମାସ ୨୪ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ପୂଜାକୁ ଧୂମଧାମରେ ପାଳନ ପାଇଁ ମା'ଙ୍କ ଶକ୍ତିପୀଠ ଠାରୁ ଆରମ୍ଭ କରି ପୂଜାମଣ୍ଡପ ପର୍ଯ୍ୟନ୍ତ ପ୍ରସ୍ତୁତି ଆରମ୍ଭ ହେଲାଣି । ରାଜା ରାଜୁଡା ଅମଳରୁ କେନ୍ଦୁଝରର ଏକ ପ୍ରମୁଖ ପର୍ବ ଭାବେ କାଳୀତୀର୍ଥ ପୂଜାକମିଟି ପକ୍ଷରୁ କାଳୀପଡିଆରେ ହୋଇଆସୁଥିବା କାଳୀପୂଜା ଚଳିତବର୍ଷ ୮୨ବର୍ଷରେ ପଦାର୍ପଣ କରିଛି । ବାଣେଶ୍ବର ମହେଶ ସାଂସ୍କୃତିକ କମିଟି ପକ୍ଷରୁ ଚଳିତବର୍ଷ କାଳୀପଡିଆରେ ୨୪ ତାରିଖରୁ ମୀନାବଜାର ଆୟୋଜନ ସହ ଖାଦ୍ୟ ଓ ହସ୍ତଶିଳ୍ପ ମେଳା ଏବଂ ୨୬ରୁ ୪ ତାରିଖ ପର୍ଯ୍ୟନ୍ତ ଅପେରା' ଆୟୋଜନ ଦର୍ଶକଙ୍କ ମନରେ ଏବେଠାରୁ ଉତ୍ସାହ ସୃଷ୍ଟି କରିଛି । ଟେଲିଫୋନ ଏକ୍ସଚେଞ୍ଜ ସମ୍ମୁଖସ୍ଥ ମା ’ କାଳୀପୂଜା କମିଟି ପକ୍ଷରୁ ଆୟୋଜିତ ପୂଜା ଚଳିତବର୍ଷ ୫୪ବର୍ଷରେ ରୂପାରେ ନିର୍ମିତ ମା'ଙ୍କ ମୁକୁଟ ଭକ୍ତଙ୍କୁ ବେଶ୍ ଆକୃଷ୍ଟ କରିବାକୁଥିବା ବେଳେ କମିଟି ପକ୍ଷରୁ ପ୍ରତିବର୍ଷ ଭଳି ଏଥର ମଧ୍ୟ ଲଟେରୀ ଉଠାଣ, ମୀନାବଜାର ଓ ଫେସନ ବଜାର , ହସ୍ତକଳା ଓ ହସ୍ତଶିଳ୍ପ ସାମଗ୍ରୀର ଷ୍ଟଲ ସମେତ କେନ୍ଦୁଝର, କଟକ ଓ ପାରାଦ୍ବୀପର ହୋଟେଲ ବ୍ୟବସାୟୀଙ୍କ ପକ୍ଷରୁ ଖାଦ୍ୟମେଳାର ଆୟୋଜନ ପୂଜା ବଜାରକୁ ଅଧିକ ସରଗରମ କରିବ ବୋଲି ଆଶା କରାଯାଉଛି ।

କାଶୀପୁର ଶ୍ମଶାନ କାଳୀପୂଜା ଚଳିତବର୍ଷ ୩୫ବର୍ଷରେ ପଦାର୍ପଣ କରିଥିବା ବେଳେ ପୂଜାକୁ କିଭଳି ଅଧିକ ଆକର୍ଷଣୀୟ ଓ ଶୃଙ୍ଖଳିତ ଭାବେ ପାଳନ କରାଯିବ ସେ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଦୀର୍ଘ ୧୨ଦିନବ୍ୟାପୀ ଅନୁଷ୍ଠିତ ଏହି ମେଳାକୁ ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ ଆୟୋଜକ ପୂଜା କମିଟି ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ନିଶ୍ଚିତ କରାଯାଇଛି ।

ଦୀର୍ଘ ଦୁଇବର୍ଷ ପରେ ଧୁମଧାମରେ ପାଳିତ ହେବ କେନ୍ଦୁଝରର ପ୍ରସିଦ୍ଧ କାଳୀ ପୂଜା । ଦୀର୍ଘ ୧୨ଦିନବ୍ୟାପୀ ପୂଜା ହେବାକୁ ଥିବା ବେଳେ ମଣ୍ଡପରେ ଜମିବ ଭକ୍ତଙ୍କ ଭି଼ଡ ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details