ଆନନ୍ଦପୁର: ସ୍ଥାନୀୟ ଆନନ୍ଦ ଭବନଠାରେ 'ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ମହାସଂଘ ଓଡ଼ିଶା'ର ଜିଲ୍ଲା ଶାଖା ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ‘ସମାଜ ଗଠନରେ ସାମ୍ବାଦିକଙ୍କ ଭୂମିକା ଓ ସଙ୍କଟରେ ସାମ୍ବାଦିକତା’ ବିଷୟ ଶୀର୍ଷକ ରହିଥିଲା । ଏହି ଆଲୋଚନାଚକ୍ରରେ ଜିଲ୍ଲାର ଅନେକ ସାମ୍ବାଦିକମାନେ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।
ଆନନ୍ଦପୁର କଲେଜର ପୂର୍ବତନ ଅଧ୍ୟକ୍ଷ ରମାକାନ୍ତ ନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହାକୁ ପରିଚାଳନା କରିଥିଲେ ଅନୀଲ କୁମାର ସାହୁ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମହାସଂଘ ସମ୍ପାଦକ ତପନ ମହାରଣ୍ୟ ଶର୍ମା, ଲୋକନାଥ ସିଂ, ସୁବାସ ମହାପାତ୍ର ଓ ଯାଜପୁର ଜିଲ୍ଲା ସମ୍ପାଦକ ଦିଲ୍ଲୀପ ଦାଶ ପ୍ରମୁଖ ଯୋଗ ଦେଇଥିଲେ । ସାମ୍ବାଦିକମାନଙ୍କର ଏକତାର ଅଭାବକୁ ଗୁରୁତ୍ଵ ଦେବା ସହ ସମସ୍ତ ସାମ୍ବାଦିକମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି ଏଠାରେ ଆଲୋଚନା ହୋଇଥିଲା ।
ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର ସେପଟେ କିଛି ସ୍ଥାନରେ ସାମ୍ବାଦିକଙ୍କୁ ସମାଜରେ ଉପେକ୍ଷିତ କରାଯାଉଛି ତ ପୁଣି କେଉଁଠି ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ ମଧ୍ୟ କରାଯାଉଛି ବୋଲି ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ । ତେଣୁ ଆଗାମୀ ଦିନରେ ସମସ୍ତ ସାମ୍ବାଦିକ ଏକତ୍ରିତ ହେବା ସହ ସେମାନଙ୍କୁ କିଭଳି ଭାବରେ ସୁରକ୍ଷା ଦିଆଯିବ ସେନେଇ ଆଲୋଚନା କରାଯାଇଥିଲା । ଏହାସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସାମ୍ବାଦିକମାନଙ୍କୁ ଅନ୍ତର୍ଭୁକ୍ତ କରାଯିବା ନେଇ ଅତିଥିମାନେ ଗୁରୁତ୍ବାରୋପ କରିଥିଲେ ।
ସାମାଜିକ କ୍ଷେତ୍ରରେ ସାମ୍ବାଦିକମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିବା ବେଳେ ସରକାର ଏଥିପ୍ରତି ଦୃଷ୍ଟି ଦେଇ କିଭଳି ସାମ୍ବାଦିକଙ୍କୁ ସୁରକ୍ଷା ପ୍ରଦାନ କରିବେ ଏହା ଆଲୋଚନାଚକ୍ରର ମୁଖ୍ୟ ବିଷୟବସ୍ତୁ ରହିଥିଲା । ବହୁ ସାମ୍ବାଦିକମାନେ ଉପରୋକ୍ତ ବିଷୟବସ୍ତୁ ଉପରେ ନିଜର ମତ ପ୍ରଦାନ କରିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଗୋପାଳକୃଷ୍ଣ ରାଉତଙ୍କୁ ନିଜର ସଫଳ ସାମ୍ବାଦିକତା ପାଇଁ ମୁଖ୍ୟ ଅତିଥିଙ୍କ ଦ୍ବାରା ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ନ୍ଧିତ କରାଯାଇଥିଲା ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ