ଆନନ୍ଦପୁର: 3ଦିନ ଧରି କେନ୍ଦୁଝର ଜିଲ୍ଲାରେ ବନ୍ୟା କମିଥିବା ବେଳେ,ବହୁ ଲୋକଙ୍କ ଘର ଭାଙ୍ଗି ଯାଇଛି । ନିଜ ପିଲାଛୁଆଙ୍କୁ ଧରି ବନ୍ୟା ପ୍ରପୀଡିତ ଅନ୍ୟତ୍ର ମୁଣ୍ଡ ଗୁଞ୍ଜିଛନ୍ତି । ଘରଦ୍ବାର ନଥିବାରୁ ଖାଦ୍ୟ ଗଣ୍ଡେ ପାଇଁ ଡହଳବିକଳ ହେଉଛନ୍ତି ଲୋକେ । ମାତ୍ର ପ୍ରଶାସନ ଏଯାଏଁ ଲୋକଙ୍କ ନିକଟରେ ପହଞ୍ଚି ନଥିବା ଅଭିଯୋଗ ହୋଇଛି । ତେବେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ପଞ୍ଚୁପଲ୍ଲୀ ପଞ୍ଚାୟତର ବେଉସାହିରେ କିପରି ରହିଛି ବନ୍ୟା ପରର ସ୍ଥିତି ଦେଖନ୍ତୁ ରିପୋର୍ଟ ।
4ଦିନ ହେଲା ଭୋକ ଉପାସରେ ବନ୍ୟା ପ୍ରପୀଡିତ, ପ୍ରଶାସନ ସ୍ଥାଣୁ ବୈତରଣୀ ନଦୀରେ ବନ୍ୟା ଆସିବା ଫଳରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ପଞ୍ଚୁପଲ୍ଲୀ ପଞ୍ଚାୟତର ବେଉସାହିରେ ଅଧିକାଂଶ ଲୋକଙ୍କ ଘର ମାଟିରେ ମିଶିଯାଇଛି । ଗାଁରେ ହଠାତ୍ ବନ୍ୟାଜଳ ପସିଯିବା ଫଳରେ ଘରଦ୍ବାର ଛାଡି ଲୋକେ ଅନ୍ୟତ୍ର ଚାଲିଯାଇଥିଲେ । ବନ୍ୟାରେ ଘର ଭାଙ୍ଗିଯିବା ସହିତ ଲୋକଙ୍କର ଆସବାବପତ୍ର ମଧ୍ୟ ନଷ୍ଟ ହୋଇଯାଇଛି ।ଗତ 4ଦିନ ଧରି ଲୋକମାନେ ଭୋକ ଓପାସରେ ପଡି ରହିଛନ୍ତି ।
ଚଳିତବର୍ଷ ବନ୍ୟାରେ ବେଉସାହିରେ 80ପରିବାରଙ୍କ ମଧ୍ୟରୁ 20ଟି ପରିବାରର ଘର ଭାଙ୍ଗିଯାଇଛି । ଅନ୍ୟ କିଛି ଲୋକଙ୍କ ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ମଧ୍ୟ ହୋଇଛି । ହେଲେ,ଏଯାଏଁ ଲୋକଙ୍କୁ ପ୍ରଶାସନ ତରଫରୁ ପଲିଥିନଟିଏ ଯୋଗାଇ ଦିଆଯାଇ ନଥିବା ଅଭିଯୋଗ ହୋଇଛି । କିଛି ଲୋକଙ୍କ ଘର ମାଟିରେ ମିଶିଯାଇଥିବା ବେଳେ,ମାତ୍ର ଗୋଟିଏ ଦିନ ରନ୍ଧାଖାଦ୍ୟ ଦେଇ ଲୋକଙ୍କୁ ପ୍ରଶାସନ ଭୁଲିଯାଇଥିବା ଅଭିଯୋଗ ହୋଇଛି । ବୈତରଣୀ ଓ କୁଶେଇ ନଦୀର ସଂଗମସ୍ଥଳରେ ହୋଇଥିବା ଘାଇ ଫଳରେ ପ୍ରତିବର୍ଷ ଲୋକଙ୍କ ଘରେ ବନ୍ୟାଜଳ ପ୍ରବେଶ କରୁଥିବା ଲୋକେ ଅଭିଯୋଗ କରିଛନ୍ତି ।
ଏବର୍ଷ ବୈତରଣୀ ନଦୀରେ ଆସିଥିବା ବନ୍ୟାରେ ଜିଲ୍ଲାର 121ଟି ଗାଁ ପ୍ରଭାବିତ ହୋଇଛି । ବନ୍ୟାରେ ସମୁଦାୟ 1299ଟି ଘର ଭାଙ୍ଗିଯାଇଛି । ଏଥିରୁ 213ଟି ସମୂର୍ଣ୍ଣ ରୂପେ ଭାଙ୍ଗିଯାଇଥିବା ବେଳେ,ଆଂଶିକ ଭାବେ 994ଟି ଘର କ୍ଷତିଗ୍ରସ୍ତ ହୋଇଛି ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ