ଆନନ୍ଦପୁର: ଗରିବ ସୀମାରେଖା ତଳେ ଥିବା ପରିବାର ଓ ଭିନ୍ନକ୍ଷମଙ୍କ ପାଇଁ କେନ୍ଦ୍ର ଏବଂ ରାଜ୍ଯ ସରକାର ସ୍ବତନ୍ତ୍ର ଯୋଜନା ମାନ ପ୍ରସ୍ତୁତ କରିଛନ୍ତି । ଜନ୍ମରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ମାଳମାଳ ଯୋଜନା ପ୍ରସ୍ତୁତ କରିଥିଲେ ମଧ୍ଯ ଏହି ଯୋଜନାର ସୁଫଳ କିଏ ପାଉଛି ବା ନପାଉଛି ପ୍ରଶାସନିକ ଏବଂ ସରକାରୀ ସ୍ତରରେ ତାହାର ତର୍ଜମା କରାଯାଉନି । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ନୂଆଗାଁର ଶହଦେବ ସାଙ୍କ ୨୪ ବର୍ଷୀୟ ପୁଅ ଶ୍ରୀଧର ସାଙ୍କ ଅବସ୍ଥା ଭାରି ଦୟନୀୟ । ସେ ନା ଠିକ୍ ଭାବେ ବସି ପାରୁଛନ୍ତି ନା ଠିକ୍ ଭାବେ ଶୋଇ ପାରୁଛନ୍ତି । ସତେ ଯେମିତି ଏହି ଯୁବକ ଉପରେ ଦଇବ ଦାଉ ସାଧିଛି। ମାତ୍ର ୧୫ ବର୍ଷ ବୟସରୁ ଶ୍ରୀଧର ଦିବ୍ୟାଙ୍ଗ, ଉଠିବାର ଶକ୍ତି ନାହିଁ, ଅନ୍ୟର ସାହାରା ବିନା ଉଠିବସି ପାରୁନାହାନ୍ତି ।
ମାଟ୍ରିକ ପାସ୍ ପରେ ହଠାତ ଅଜଣା ରୋଗରେ ଆକ୍ରାନ୍ତ ହେବା ପରେ ମେରୁଦଣ୍ତ ବଙ୍କା ହୋଇଗଲା, ଚଲାବୁଲା କରିବାକୁ ଅକ୍ଷମ ହୋଇଗଲେ । ବାପା ଶହଦେବ ପୁଅକୁ ନେଇ ଡାକ୍ତରଖାନାରେ ଭର୍ତ୍ତି କଲେ । ହେଲେ ଭଲ ହେବା ପରିବର୍ତ୍ତେ ଧିରେ ଧିରେ ମେରୁଦଣ୍ତ ସମ୍ପୂର୍ଣ୍ଣ ଅକାମୀ ହୋଇଗଲା । ଆର୍ଥିକ ଅନଟନ ଭିତରେ ପୁଅର ଅଧିକ ଚିକିତ୍ସା ପାଇଁ ସମ୍ବଳର ଅଭାବ ହେଲା । ଅଭାବ ଭିତରେ ଧାର କରଜ କରି କଟକ ବଡ ଡାକ୍ତରଖାନା ଏବଂ ଭୁବନେଶ୍ବର ଏମ୍ସକୁ ନେଇ ପରୀକ୍ଷା ନିରୀକ୍ଷା ପରେ ଡାକ୍ତରଙ୍କ ଏକ ବଡ ଅପରେସନ ଦରକାର ଏବଂ ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି। ସମ୍ବଳ କହିଲେ ପୁଅର ଭିନ୍ନକ୍ଷମ ଭତ୍ତା ବାବଦକୁ ମାସକୁ ମିଳୁଥିବା ୫ଶହ ଟଙ୍କା ଏବଂ ଖାଦ୍ଯ ସୁରକ୍ଷା ଯୋଜନାରେ ମାସକୁ ଯାହା ଚାଉଳ ମିଳେ ସେଥିରେ ବି ପରିବାର ଚଳିବା କଷ୍ଠକର ବ୍ଯାପାର ।
ଏଭଳି ଅଭାବୀ ସଂସାର ଭିତରେ ପୁଅର ଚିକିତ୍ସା ପାଇଁ ଅନେକ ଲୋକଙ୍କ ପାଖରେ ହାତ ଯୋଡି ଗୁହାରୀ କରିଛନ୍ତି , କିନ୍ତୁ ତାଙ୍କୁ ଏଯାଏଁ କୌଣସି ସରକାରୀ ସହୟତା ମିଳିପାରି ନାହିଁ । ଅବହେଳିତ ଭିନ୍ନକ୍ଷମ ଯୁବକ ଶ୍ରୀଧର ଯୁବା ବୟସରେ ବାପା ମାଆଙ୍କ ବୋଝ ମୁଣ୍ତାଇବା ପରିବର୍ତ୍ତେ ନିଜେ ପରିବାରର ବୋଝ ହୋଇଛନ୍ତି । ତେବେ ଶ୍ରୀଧରର ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ତେବେ ଦେଖିବାର ବିଷୟ ଶ୍ରୀଧରକୁ କେବେ ମିଳୁଛି ସରକାରୀ ସହାୟତା। ତେବେ କୌଣସି ସହୃଦୟ ବ୍ୟକ୍ତି କିମ୍ବା ସ୍ୱେଚ୍ଛାସେବୀ ସଂଗଠନ ଚାହିଁଲେ ଶ୍ରୀଧରକୁ ସହାୟତା କରିପାରିବେ ।
AC no. 541410110007574