କେନ୍ଦୁଝର: ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସ ଷ୍ଟେସନ ଅନ୍ତର୍ଗତ ଭଦ୍ରାସାହି ଗ୍ରାମରେ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି।
ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମଧ୍ୟପ୍ରଦେଶରୁ ଆସି ଭଦ୍ରାସାହିରେ ଭଡା ଘରେ ରହୁଥିବା ଜଣେ ଟ୍ରକ୍ ଡ୍ରାଇଭରଙ୍କ ତାଙ୍କ ପତ୍ନୀଙ୍କ ସହ କୌଣସି କାରଣରୁ ଝଗଡା ହୋଇଥିଲା । ଏନେଇ ମହିଳା ଜଣକ ଉତ୍ୟକ୍ତ ହୋଇ ଘରୁ ପଳାଇ ଆସିଥିଲେ । ବାଟରେ ଯାଉଥିବା ସମୟରେ ରୋଇଡା ଛକ ନିକଟରେ ଦୁଇ ଜଣ ହାଇୱା ଡ୍ରାଇଭର ଖୁଦାବକ୍ସ ଅନସାରୀ ଏବଂ ମହମ୍ମଦ ନାସିର ତାଙ୍କୁ ଲିଫ୍ଟ ଦେଇଥିଲେ ।
ଏହାପରେ ଦୁଇ ଡ୍ରାଇଭର ଉକ୍ତ ଟ୍ରକରେ ମହିଳାଙ୍କ ସହ ଗଣଦୁଷ୍କର୍ମ କରିବା ସହିତ ତାଙ୍କୁ ଘରକୁ ଆଣି ତିନି ଦିନ ଦୁଷ୍କର୍ମ କରିଥିଲେ । ପିଡିତା ଜଣଙ୍କ ରବିବାର କୌଶଳ କ୍ରମେ ସେଠାରୁ ଖସି ଆସି ନିଜ ସ୍ବାମୀଙ୍କ ସହ ବଡ଼ବିଲ ଥାନାର ଦ୍ବାରସ୍ଥ ହୋଇଥିଲେ ।
ବଡ଼ବିଲ ପୋଲିସ ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚୁରା କରିବା ସହିତ ଟ୍ରକଟିକୁ ଜବତ କରିଛନ୍ତି । ବଡ଼ବିଲ ପୋଲିସ ପିଡିତାଙ୍କ ଡାକ୍ତରୀ ମାଇନା କରି ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ