ଆନନ୍ଦପୁର: ଆଜିର ସ୍ବାର୍ଥପର ଦୁନିଆରେ ଲୋକମାନେ ନିଜ ସ୍ବାର୍ଥ ବ୍ୟତୀତ ଅନ୍ୟ କିଛି କରୁ ନଥିବା ବେଳେ ଜଣେ ସାଧାରଣ ଲୋକ ହୋଇ ଗୋଟିଏ ଅଞ୍ଚଳର ଲୋକଙ୍କ ଯାତାୟତ ପାଇଁ ଯେ ପୋଲଟିଏ ନିର୍ମାଣ କରିବେ ତାହା କେବେ ବିଶ୍ବାସ ହେଉନି । ପରିବାର ଲୋକଙ୍କ କାର କିଣିବା ପାଇଁ ଚାହିଁ ବସିଥିବା ବେଳେ କାର ନ କିଣି ସେହି ଟଙ୍କାରେ ନିର୍ମାଣ କଲେ ପୋଲ ।
ପରିବାର ଲୋକଙ୍କ କାର ଚଢ଼ିବା ସ୍ବପ୍ନ ସିନା ପୁରା ହେଲାନି, ହେଲେ ସେହି ଟଙ୍କାରେ ୩ଟି ପଞ୍ଚାୟତର ଲୋକଙ୍କର ବହୁ ଦିନର ଆଶା ପୁରଣ ହେଲା । ନିଜ ପେନସନ ଟଙ୍କାରୁ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାଳନ୍ଦୀ ନଦୀ ଉପରେ ପୋଲ ନିର୍ମାଣ କରି ସାରା ଓଡିଶାରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଗଙ୍ଗାଧର ରାଉତ । ଆଜି ପିଉସା ପୁତୁରା ସେତୁକୁ ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । କାର କିଣିବାକୁ ସଞ୍ଚିତ କରିଥିବା ପେନସନ ଟଙ୍କାକୁ ଏହି ପୋଲ ତିଆରିରେ ଖର୍ଚ୍ଚକରି ଆଜି ନିଜ ବାପାଙ୍କ ପରବାସୀ ରାଉତ ଓ ଭାଇ ପ୍ରାଣବନ୍ଧୁ ବେହେରାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହାକୁ ଉତ୍ସର୍ଗ କରି ସମଗ୍ର ରାଜ୍ୟରେ ଉଦାହରଣ ପାଲଟିଛନ୍ତି ।
ଗାଁରୁ ନଦୀର ଅପରପାଶ୍ୱର୍କୁ ଯାଇପାରୁ ନଥିବା ଗାଁ ଲୋକମାନେ ତଥା ନଦୀର ଆରପଟେ ଥିବା ୩ଟି ପଞ୍ଚାୟତର ଲୋକଙ୍କ ଯାତାୟତ ପାଇଁ ଏବେ ଏହି ପୋଲ ହିଁ ଏକମାତ୍ର ମାଧ୍ୟମ । ଏହି ପୋଲ ସମ୍ପୁର୍ଣ୍ଣ ଦ୍ବାରା କାନପୁର, ମରଚାଇପଦା, ନିଉଦାନି, ଦନେଇପୁର, ପଢ଼ିଆରିପଲ୍ଲୀ ଆଦି ଗ୍ରାମର ଲୋକମାନେ ସହଜରେ ନଦୀର ଅପର ପାର୍ଶ୍ବକୁ ଯାତାୟତ କରିପାରିବେ ଓ ଚାଷୀମାନେ ନଦୀର ଅପର ପାର୍ଶ୍ବରେ ଥିବା ଚାଷ ଜମିକୁ ହଳବଳଦ ଧରି ଯାତାୟତ କରିପାରିବେ ବୋଲି ଗ୍ରାମବାସୀମାନେ କହିଛନ୍ତି ।