କେନ୍ଦୁଝର: ତେଲକୋଇ ରେଞ୍ଜରେ ଥମୁନି ହାତୀ ଉପଦ୍ରବ । ଘରେ ପଶି ଭାଙ୍ଗାରୁଜା କରିବା ସାଙ୍ଗକୁ ଧାନ, ଚାଉଳ ଖାଇ ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ ।
ତେଲକୋଇ ରେଞ୍ଜରେ ଥମୁନି ହାତୀ ଉପଦ୍ରବ ଗତକାଲି(ସୋମବାର) ବିଳମ୍ବିତ ରାତିରେ ବିମଳା ଫରେଷ୍ଟ ବିଟ ଅଞ୍ଚଳ କୁଣ୍ଡେଇହତା ଗାଁ ପାତ୍ର ସାହିରେ ୧୦ ଟିକିଆ ହାତୀପଲ ଉପଦ୍ରବ ଚଳାଇଥିଲେ । ବିରଞ୍ଚି ପାତ୍ରଙ୍କ ଘର ଭାଙ୍ଗିବା ସହ ଧାନଚାଉଳ ଓ ବିରି କୋଳଥ ଖାଇଯାଇଥିବା ଅଭିଯୋଗ ହୋଇଛି । ଘରେ ଥିବା ଦୁଇ ବସ୍ତା ଧାନ ଓ ଦୁଇ ବସ୍ତା ଚାଉଳକୁ ଘରୁ ଟେକିନେଇ ଯାଇଛନ୍ତି । ଏଥିସହ ବିରଞ୍ଚି ପାତ୍ରଙ୍କ ଦୁଇ ବଖରା ଘରକୁ ଭାଙ୍ଗି ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି ।
ହାତୀ ଘର ଭାଙ୍ଗିବା ଦେଖି ପରିବାର ଲୋକେ ପାଟି କରିଥିଲେ । ଗାଁ ଲୋକଙ୍କ ସହାୟତାରେ ହାତୀପଲଙ୍କୁ ଘଉଡାଇଥିଲେ ପରିବାର ଲୋକେ । ସେପଟେ ଗାଁର ଅଖିଳ ପ୍ରଧାନ, କୁନି ବିଶ୍ବାଳ, ତାରାମଣି ପ୍ରଧାନଙ୍କ ଏକର ଏକର ଧାନଫସଲକୁ ଦଳିମକଚି ନଷ୍ଟ କରିଦେଇଛନ୍ତି ହାତୀପଲ । ବନବିଭାଗ ହାତୀଙ୍କ କବଳରୁ ଲୋକଙ୍କ ଧନଜୀବନ ରକ୍ଷା କରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ବାରମ୍ବାର ସ୍ଥାନୀୟ ଲୋକେ ହାତୀ ଉପଦ୍ରବର ଶିକାର ହେବାସହ ଧନଜୀବନ ଓ ଫସଲ ନଷ୍ଟ ହେବା ଦ୍ବାରା ଆର୍ଥିକ ମେରୁଦଣ୍ଡ ଭୁଷୁଡି ପଡୁଛି । ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୁଷ୍ଟ ବୃଦ୍ଧି ପାଇବାରେ ଲାଗିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ