ଆନନ୍ଦପୁର: ଗାଁରେ ଉତ୍କଟ ହେଲାଣି ପାନୀୟ ଜଳ ସମସ୍ୟା । କୂଅ କିମ୍ବା ପୋଖରୀ ନଥିବାରୁ ଦୀର୍ଘ 2 କିଲୋମିଟର ଦୂର ଚୂଆରୁ ପାଣି ସଂଗ୍ରହ କରୁଛନ୍ତି ଗାଁ ମହିଳାମାନେ । ଏପଟେ ନଳକୂପରୁ ବାହାରୁଛି ଦୂଷିତ ପାଣି । ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ ଅଭିଯୋଗ ହୋଇସାରିଲାଣି । ହେଲେ ଏଯାଏଁ ମିଳୁନି କିଛି ସୁଫଳ । ଏଭଳି ଦୀର୍ଘ ଦିନରୁ ଜଳ କଷ୍ଟ ଭୋଗୁଛନ୍ତି ଘସିପୁରା ବ୍ଲକ ଗଡବାନ୍ଧଗୋଡା ପଞ୍ଚାୟତର ପନାସିଆ ଗ୍ରାମବାସୀ ।
ପନାସିଆ ଗାଁର 2ଟି ସାହିରେ ବାସ କରନ୍ତି 40ଟି ଆଦିବାସୀ ପରିବାର । ହେଲେ, ଗାଁରେ କୂଅ କିମ୍ବା ପୋଖରୀ ନଥିବାରୁ ଲୋକେ ସ୍ନାନ, ଶୌଚ ପାଇଁ ନାନା ହଇରାଣ ହେଉଛନ୍ତି । ଗାଁକୁ ଯିବା ପାଇଁ ଭଲ ରାସ୍ତାଟିଏ ମଧ୍ୟ ନାହିଁ । ଗାଁରେ ଥିବା 2ଟି ନଳକୂଅରୁ ଦୂଷିତ ପାଣି ବାହାରୁଥିବାରୁ ଏହା ବ୍ୟବହାର ଉପଯୋଗୀ ହୋଇପାରୁନାହିଁ । ଫଳରେ ଲୋକମାନେ ଦୀର୍ଘ ଦିନ ଧରି ଚୁଆ ପାଣି ବ୍ୟବହାର କରୁଛନ୍ତି ।