କେନ୍ଦୁଝର: କେନ୍ଦୁଝରରେ ଟ୍ରକ ମାଲିକ ସଂଘର କର୍ମକର୍ତ୍ତାଙ୍କ ସରିଯାଇଛି କାର୍ଯ୍ୟକାଳ । ହେଲେ ନିର୍ବାଚନ କରିବାରେ ଟାଳଟୁଳ ନୀତି ଆପଣାଉଛନ୍ତି ଟ୍ରକ ମାଲିକ ସଂଘ । ଯାହାକୁ ନେଇ କେନ୍ଦୁଝରରେ ପୂର୍ବତନ କର୍ମକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । କେନ୍ଦୁଝର ଟ୍ରକ ମାଲିକ ସଂଘ ରାଜ୍ୟର ବିତ୍ତଶାଳୀ ଟ୍ରକ ସଂଘ ଭାବେ ପରିଚିତ । ଉକ୍ତ ଟ୍ରକ ସଂଘ ଜିଲ୍ଲାର ଲୁହା ପରିବହନ ବ୍ୟବସ୍ଥାକୁ ସୁଚାରୁରୂପେ ତୁଲାଇଥାଏ ।
କିନ୍ତୁ ଏବେ ଟ୍ରକ ସଂଘରେ ବର୍ତ୍ତମାନ ଦୁର୍ନୀତିର ଗନ୍ତାଘର ହୋଇଥିବା ନେଇ ଅଭିଯୋଗ ହୋଇଛି । ବର୍ତ୍ତମାନ ସଂଘର କର୍ମକର୍ତ୍ତା ଦୁର୍ନୀତିରେ ସଂପୃକ୍ତ ଥିବା ନେଇ ଅଭିଯୋଗ କରିଛନ୍ତି ସାଧାରଣ ଟ୍ରକ ମାଲିକ ମାନେ । କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ପୁରି ଯାଇଥିଲେ ମଧ୍ୟ ସେମାନେ ପଦ ଛାଡିବାକୁ ରାଜି ନଥିବା ଅଭିଯୋଗ ହୋଇଛି । ଏନେଇ ସାଧାରଣ ମାଲିକ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେବାସହ ହାଇକୋର୍ଟର ଦ୍ବାରସ୍ଥ ହେଉଛନ୍ତି ।
ହାଇକୋର୍ଟ ଯଥାଶୀଘ୍ର ଜିଲ୍ଲା ପ୍ରଶାସନକୁ ନିର୍ଵାଚନ କରାଇବା ନେଇ ନୋଟିସ କରିଛନ୍ତି । ଏହା ସତ୍ତ୍ବେ ବର୍ତ୍ତମାନର କର୍ମକର୍ତ୍ତା ମଣ୍ଡଳୀ କୌଣସି ପଦକ୍ଷପ ନେଉନଥିବା ସାଧାରଣ ଟ୍ରକ ମାଲିକମାନେ ଅଭିଯୋଗ କରିଛନ୍ତି । ଏହାସହ ନୂତନ ସଦସ୍ୟ ନିର୍ବାଚନ ଗ୍ରହଣ କରି ଅନ୍ୟ ଜିଲ୍ଲାର ଟ୍ରକ ମାଲିକଙ୍କୁ ଜିଲ୍ଲା ସଂଘର ସଦସ୍ୟ କରାଯାଉଥିବା ଅଭିଯୋଗ କରିଛନ୍ତି । ଏନେଇ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ସାଧାରଣ ଟ୍ରକ ମାଲିକମାନେ ।