ଓଡିଶା

odisha

ETV Bharat / state

ଷ୍ଟ୍ରଙ୍ଗରୁମ ସୁରକ୍ଷାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

କେନ୍ଦୁଝର ଜିଲ୍ଲାର ମାଇନିଂ ଇଞ୍ଜିନିୟରିଂ ସ୍କୁଲ ପରିସରରେ ଗଠିତ ହୋଇଥିବା ଷ୍ଟ୍ରଙ୍ଗରୁମ ନିକଟରୁ ଜଣେ ସଦିଗ୍ଧ ବ୍ୟକ୍ତି ଧରାପଡିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଷ୍ଟ୍ରଙ୍ଗରୁମର ସୁରକ୍ଷାକୁ ନେଇ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛି ବିଜେପି।

By

Published : Apr 27, 2019, 2:08 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ସହରସ୍ଥିତ ମାଇନିଂ ଇଞ୍ଜିନିୟରିଂ ସ୍କୁଲ ପରିସରରେ ଚଳିତ ନିର୍ବାଚନ ପାଇଁ ଗଠିତ ହୋଇଥିବା ଷ୍ଟ୍ରଙ୍ଗରୁମର ସୁରକ୍ଷାକୁ ନେଇ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛି ବିଜେପି । ଗତକାଲି ରାତିରେ ଏଠାରୁ ଜଣେ ସଦିଗ୍ଧ ବ୍ୟକ୍ତିଙ୍କୁ ସ୍ଥାନୀୟ ବିଜେପି କର୍ମୀ ଧରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଏନେଇ ଦଳ ପକ୍ଷରୁ କୁହାଯାଇଛି ଷ୍ଟ୍ରଙ୍ଗରୁମ ନିକଟରୁ ଧରାପଡିଥିବା ବ୍ୟକ୍ତି ଜଣକ ଜଣେ ଖଣି ବ୍ୟବସାୟୀ ଓ ପେସାରେ ସଷ୍ଟୱୟାର ଇଞ୍ଜିନିୟର । ବିନା ଅନୁମତିରେ ଜଣେ ସାଧାରଣ ଲୋକ ଷ୍ଟ୍ରଙ୍ଗରୁମ ନିକଟକୁ ଯାଇ ପାରୁନଥିବା ବେଳେ, ବିଳମ୍ବିତ ରାତିରେ ଇଞ୍ଜିନିୟର ଜଣକ କଣ କରୁଥିଲେ ବୋଲି ବିଜେପି ପ୍ରଶ୍ନ କରିଛି । ଏହାର ପ୍ରତିବାଦରେ ଦଳର ଶତାଧିକ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ପରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟିଥିଲା । ଏହାର ପ୍ରତିକ୍ରିୟା ରଖିଛନ୍ତି କେନ୍ଦୁଝର ଜିଲ୍ଲାପାଳ । ଷ୍ଟ୍ରଙ୍ଗରୁମର ସୁରକ୍ଷାକୁ ନେଇ ଆସିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସେ ପ୍ରକାଶ କରିଛନ୍ତି । ଏଥିସହିତ ଜିଲ୍ଲାପାଳ ଆହୁରି ମଧ୍ୟ କହିଛନ୍ତି ଷ୍ଟ୍ରଙ୍ଗରୁମର ସୁରକ୍ଷା ଦାୟିତ୍ବରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳର ଯବାନଙ୍କୁ ନିୟୋଜିତ କରାଯାଇଥାଏ ।

ତେବେ ଗତକାଲି ବିଳମ୍ବିତ ରାତିରେ ଏକ ବୋଲେରୋ ସହ କିଛି ଯୁବକ ମାଇନିଂ ଇଞ୍ଜିନିୟରିଂ ସ୍କୁଲ ମଧ୍ୟକୁ ଅବାଧ ପ୍ରବେଶ କରିଥିଲେ । ଏ ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ବିଜେପି କର୍ମୀ ପୋଲିସକୁ ଖବର ଦେବା ସହ ବୋଲେରୋ ଓ ସେହି ଯୁବକଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। ହେଲେ ଅନ୍ଧାରର ସୁଯୋଗ ନେଇ ୨ ଜଣ ଖସି ଯିବାରେ ସଫଳ ହୋଇଥିଲେ । ସେମାନଙ୍କ ସହ ଆସିଥିବା ଆଶା ପ୍ରଦୀପ ମହାନ୍ତିଙ୍କୁ ଧରିବାରେ ସଫଳ ହୋଇଥିଲେ ବିଜେପି କର୍ମୀ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୋଲିସ ପ୍ରଦୀପଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details