'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମ କେନ୍ଦୁଝର: 'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ କେନ୍ଦୁଝର ଜିଲ୍ଲା ପାଇଁ ଭିଡିଓ କନଫରେନସିଂ ମାଧ୍ୟମରେ ୧୪୮ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୩ ହଜାର ୫ ଶହ ୬୮ଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ତେବେ ଆଜି କେନ୍ଦୁଝରରେ ଆୟୋଜିତ ହୋଇଥିବା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ 5T ସଚିବ ଭିକେ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ରହିଥିଲେ । ଜିଲ୍ଲାର ୧୩ଟି ବ୍ଲକରୁ ସିଧାସଳଖ ଭିଡିଓ କନଫରେନସିଂ ମାଧ୍ୟମରେ ଲକ୍ଷାଧିକ କେନ୍ଦୁଝରବାସୀ ଯୋଡ଼ି ହୋଇଥିଲେ। ପ୍ରଥମେ ଘଷିପୁରା ବ୍ଲକରୁ ଜିଲ୍ଲାର ବିଧାୟକ ବଦ୍ରିନାରାୟଣ ପାତ୍ର ଭିଡିଓ କନଫେରେନସିଂ ମାଧ୍ୟମରେ ଯୋଡ଼ି ହୋଇ ତାଙ୍କ ଅଭିଭାଷଣ ପ୍ରଦାନ କରିଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକ ମୁଖ୍ୟାଳୟରେ ହୋଇଥିବା ଉଦଘାଟାନୀ କାର୍ଯ୍ୟକ୍ରମରେ ସାଂସଦ ଚନ୍ଦ୍ରାଣୀ ମୂର୍ମୁ, ଘଷିପୁରା ବିଧାୟକ, ପାଟଣା ବିଧାୟକ ଜଗନ୍ନାଥ ନାଏକ, ତେଲକୋଇ ବିଧାୟକ ପ୍ରେମାନନ୍ଦ ନାଏକ, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, କେନ୍ଦୁଝର ସଦର ବ୍ଲକ କାର୍ଯ୍ୟକ୍ରମରେ ଜିଲ୍ଳାପରିସଦ ଅଧ୍ୟକ୍ଷା ସାଗରିକା ସାହୁଙ୍କ ସହ ଅନେକ ଜିଲ୍ଳା ପରିଷଦ ସଦସ୍ୟଙ୍କ ସହ ବିଭିନ୍ନ ପଞ୍ଚାୟତରୁ ସରପଞ୍ଚମାନେ ଯୋଡ଼ି ହୋଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନାକୁ ହାଇକୋର୍ଟଙ୍କ ଝଟ୍କା; ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍
ସେପେଟେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଥିଲେ । 'ଆମ ଓଡ଼ିଶା ନବୀନ ଓଡ଼ିଶା' ସରକାରଙ୍କର ଏକ ଫମ୍ପା ଆୱାଜ । ନବୀନ ଓଡ଼ିଶା ଆଜି ଲୁଟ୍ ଓଡ଼ିଶାରେ ପରିଣତ ହୋଇଛି । ନିର୍ବାଚନ ଆସିଲେ ସରକାର ବିଭିନ୍ନ ଯୋଜନା କରିବା କଥା ମନେପଡ଼େ । କିନ୍ତୁ ନିର୍ବାଚନ ସରିଗଲେ ସବୁ ଯୋଜନା ଭୁଲି ଯାଆନ୍ତି ସରକାର । ଯେପରି ଗୋପବନ୍ଧୁ ଗ୍ରାମୀଣ ଯୋଜନା, ବିଜୁ ଯୁବ ବାହିନୀ, ବିଜୁ ପକ୍କା ଘର, ଆମ ଗାଁ ଆମ ବିକାଶ, ପିଠା ଆଦି ସବୁ ଯୋଜନା ନିର୍ବାଚନ ପୂର୍ବରୁ ଆସିଥିଲା ଓ ନିର୍ବାଚନ ପରେ ସେସବୁ ଯୋଜନା ଲୁଚି ଯାଇଛି । ସିଏଜି ରିପୋର୍ଟ ବିଭିନ୍ନ ଯୋଜନାରେ ଦୁର୍ନୀତି କଥା ସ୍ପଷ୍ଟ କରିଛି । ସରକାର ସ୍ୱଚ୍ଛତା କଥା କହୁଛନ୍ତି । କିନ୍ତୁ ନବୀନ ପଟ୍ଟନାୟକ ଅନେକ ଯୋଜନାରେ ଟଙ୍କା ହରିଲୁଟ କରିଛନ୍ତି । ରାଜ୍ୟରେ ବିଭିନ୍ନ ଯୋଜନାରେ ଖର୍ଚ୍ଚ ହେବାକୁ ଥିବା 4000 ହଜାର କୋଟି ଟଙ୍କାରୁ 50 ପ୍ରତିଶତ ପିସି କାରବାର ହୋଇଛି । ଅର୍ଥାତ 2000 କୋଟି ଲୁଟ ହୋଇଛି । ସିଏଜି ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ କେଳେଙ୍କାରୀ ହୋଇଛି । ରାଜ୍ୟରେ ବିକାଶ କରିବା ଆଳରେ ନବୀନ ସରକାର ହରିଲୂଟ କରୁଛନ୍ତି ।
ଇଟିଭି ଭାରତ, କେନ୍ଦୁଝର