ଓଡିଶା

odisha

By

Published : Feb 13, 2023, 7:51 PM IST

ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ କେନ୍ଦୁଝର ଗସ୍ତ, ଧରଣୀଧର ମେଡିକାଲ କଲେଜ ଲୋକାର୍ପିତ

ଦିନିକିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାରେ ୪୭୦୩କୋଟି ବ୍ୟୟରେ ୨୫୯ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହାସହ ଧରଣୀଧର ମେଡିକାଲ କଲେଜର ଲୋକାର୍ପଣ ମଧ୍ୟ କରିଛନ୍ତି । ଅଧିକ ପଢନ୍ତୁ

Keonjhar developmental project
Keonjhar developmental project

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ କେନ୍ଦୁଝର ଗସ୍ତ

କେନ୍ଦୁଝର: ମା' ଘଟଗାଁ ତାରିଣୀଙ୍କ ଗଡ଼ରେ ଲେଖା ହେଲା ନୂଆ କାହାଣୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝରକୁ ଦିନିକିଆ ଗସ୍ତ କରି ମେଡିକାଲ କଲେଜକୁ ଲୋକାର୍ପିତ କରିଛନ୍ତି । ଏହାସହିତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଧରଣୀଧର ମେଡିକାଲ କଲେଜ ପଡ଼ିଆଠାରେ ପ୍ରଥମେ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ପହଞ୍ଚିଥିଲେ । ଏହାପରେ ୪୭୦୩କୋଟି ୨୪ ଲକ୍ଷ ଟଙ୍କା ବ୍ୟୟରେ ୨୫୯ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।

ଶୁଭ ଉଦଘାଟନର ବଡ଼ ପ୍ରକଳ୍ପ ମଧ୍ୟରେ ଧରଣୀଧର ମେଡିକାଲ କଲେଜ, ଧରଣୀଧର ସ୍ପୋର୍ଟସ କମ୍ପ୍ଲେକ୍ସ, ଶ୍ରୀବଳଦେବଜୀଉ ମନ୍ଦିରରେ ଭୋଗ ମଣ୍ଡପ ସହ ଅନେକ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନୀ ସହ କିଛି ନୂତନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଧରଣୀଧର ମେଡିକାଲ କଲେଜ ପଡ଼ିଆଠାରେ ପ୍ରଥମେ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ପହଞ୍ଚି ମେଡିକାଲ କଲେଜର ଶୁଭ ଉଦଘାଟନ କରିଥିଲେ। ପରେ ସେଠାରେ ଥିବା ଅଡିଟୋରିୟମରେ ଛାତ୍ରଛାତ୍ରୀଙ୍କ ସହିତ ବାର୍ତ୍ତାଳାପ କରିଥିଲେ। ପରେ ମେଡ଼ିକାଲ କଲେଜ ବାହାର ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ଜନ ସାଧାରଙ୍କୁ ସମ୍ବୋଧନ କରିଥିଲେ ।

କାର୍ଯ୍ୟକ୍ରମରେ ପ୍ରାୟ ୫୦ହଜାରରୁ ଊର୍ଦ୍ଧ୍ବ ଲୋକ ଯୋଗ ଦେଇଥିଲେ। କେନ୍ଦୁଝର ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ଘୋଷଣା ହୋଇଥିବାରୁ ଡିଡି ସ୍ବୟଂଶାସିତ କଲେଜ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଧରଣୀ ଭୂୟାଁଙ୍କର ଫଟୋ ଚିତ୍ର ଦେଇ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । କଲେଜର ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସରକାରଙ୍କର ବିଶ୍ବବିଦ୍ୟାଳୟ ଘୋଷଣା ପତ୍ର ଦେଇଥିଲେ।

ଏହା ବି ପଢନ୍ତୁ- DD college upgraded to university: କେନ୍ଦୁଝରକୁ ଭେଟି, ଡିଡି କଲେଜ ହେଲା ବିଶ୍ବବିଦ୍ୟାଳୟ

ମୁଖମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ମୁଖ୍ୟମନ୍ତ୍ରୀ ୪୭୦୩ କୋଟି ୨୪ ଲକ୍ଷ ବ୍ୟୟରେ ଜିଲ୍ଲାର ୨୫୯ ଗୋଟି ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ, ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ନୂତନ ପ୍ରକଳ୍ପ ଘୋଷଣା କରିଛନ୍ତି। ଏହି ଅବସରରେ ଜିଲ୍ଲାର ୧୪, ୩୭୨ ସ୍ବୟଂ ସହାୟକ ଗୋଷ୍ଠୀର ୧ ଲକ୍ଷ ୫୮ ହଜାର ୬୫୫ ସ୍ବାବଲମ୍ବୀ ମହିଳାଙ୍କୁ ବିନା ସୁଧରେ ୩୭୮ କୋଟି ଟଙ୍କା ବିନା ସୁଧରେ ଋଣ ସହାୟତାର ଶୁଭାରମ୍ଭ କରିଛନ୍ତି । ଜୟ ମା' ତାରିଣୀ କହି ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ ଆରମ୍ଭ କରିଥିଲ।

ସେ କହିଥିଲେ, "ଆଜି କେନ୍ଦୁଝର ଆସି, ଆପଣମାନଙ୍କୁ ଭେଟି ବହୁତ ଖୁସି । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଜି ଏକ ଗୌରବର ଦିନ। ଦଶମ ମେଡିକାଲ କଲେଜ କେନ୍ଦୁଝରରେ ଉଦଘାଟିତ ହେଲା । ଜିଲ୍ଲାବସୀ ଉତ୍ତମ ସ୍ବାସ୍ଥ୍ୟସେବା ପାଇପାରିବେ । ଅଧିକ ଡାକ୍ତର ବାହାରିବେ । ସ୍ବାସ୍ଥସେବାରେ ଉନ୍ନତି ଆସିବ । ଗରିବଙ୍କୁ ଏଣିକି ଚିକିତ୍ସା ପାଇଁ କଟକ-ଭୁବନେଶ୍ବର ଯିବାକୁ ପଡ଼ିବନି । କ୍ୟାନ୍ସର କେୟାର ୱିଙ୍ଗ ଓ ନର୍ସିଂ ଖୁବଶୀଘ୍ର ଖୋଲାଯିବ। ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ। ଏହି ନୀତି ଆମର ସ୍ବାସ୍ଥ୍ୟସେବାକୁ ବାଟ ଦେଖାଇଛି। BSKY ସାରା ଦେଶରେ ସବୁଠାରୁ ଭଲ ଯୋଜନା । BSKYରେ ୮ ଲକ୍ଷ ୩୦ ହଜାର ଲୋକ ଉପକାର ପାଇଲେଣି। ୧୮୦୦ କୋଟିରୁ ଅଧିକ ଅର୍ଥ ଖର୍ଚ୍ଚ କରାଯାଇଛି ।"

କାର୍ଯ୍ୟକ୍ରମରେ 5T ସଚିବ ଭିକେ ପାଣ୍ଡିଆନ, କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର, ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାୟକ, ସଦର ବିଧାୟକ ମୋହନ ମାଝୀ, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ, ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ, ଏସଡ଼ିସି ଚେୟାରମ୍ୟାନ ଲକ୍ଷ୍ମୀ ନାଏକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details