କେନ୍ଦୁଝର: ରାଜ୍ୟ ଯୁବ ବିଜେଡି ଉପସଭାପତି ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା ବେଆଇନ ଚାନ୍ଦା ଆଦାୟ କରୁଥିବା ନେଇ ଏକ ଅଡ଼ିଓ ଭାଇରାଲ ହୋଇଥିଲା । ଅଡିଓ ଭାଇରାଲ ପରେ ବିଜେପି ଯୁବମୋର୍ଚ୍ଚା ରାଜାଙ୍କ ଗିରଫ ଦାବି କରିଥିଲା । ଏନେଇ ଦଳ ପକ୍ଷରୁ ଜିଲ୍ଲା ଏସପିଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଥିଲା । ହେଲେ ଦୀର୍ଘ ସମୟ ବିତି ଯାଇଥିଲେ ମଧ୍ୟ ଏ ଯାଏଁ ରାଜା ଚକ୍ରଙ୍କ ବିରୁଦ୍ଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇଥିବା ଯୋଗୁଁ ଶତାଧିକ ବିଜେପି ଯୁବମୋର୍ଚ୍ଚା କର୍ମୀ ମଙ୍ଗଳବାର ବର୍ଷାରେ ଭିଜି ଭିଜି ଏସପି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ସୂଚନାଯୋଗ୍ୟ, ଗତ 7 ତାରିଖରେ ଯୁବମୋର୍ଚ୍ଚା ଏ ସଂକ୍ରାନ୍ତରେ ଏସପିଙ୍କୁ ଦାବିପତ୍ର ପ୍ରଦାନ କରିଥିଲା । ଏସପି ମଧ୍ୟ ୭୨ ଘଣ୍ଟା ମଧ୍ୟରେ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଧାର୍ଯ୍ୟ ସମୟ ସୀମା ପାର ହୋଇଯାଇଥିଲ ହେଁ ରାଜା ଚକ୍ର ବିରୁଦ୍ଧରେ ପୋଲିସର କିଛି କାର୍ଯ୍ୟାନୁଷ୍ଠାନ ହୋଇ ପାରିନାହିଁ । ତେଣୁ ପୋଲିସ ଓ ଅଭିଯୁକ୍ତ ଯୁବନେତାଙ୍କ ମଧ୍ୟରେ ସଲାସୁତୁରା ହୋଇଥିବା ଅଭିଯୋଗ କରିଛି ବିଜେପି ଯୁବମୋର୍ଚ୍ଚା । ଯାହାକୁ ପ୍ରତିବାଦ କରି ପ୍ରବଳ ବର୍ଷା ସତ୍ତ୍ବେ ଶତାଧିକ ଦଳୀୟ କର୍ମୀ ଏକ ଶୋଭାଯାତ୍ରାରେ ଆସି ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ କରିଛନ୍ତି । ଏଥିସହ ଏକ ପ୍ରତିନିଧି ଦଳ ଏସପିଙ୍କ ଭେଟି ତୁରନ୍ତ ରାଜା ଚକ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଘଟଣାରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।