କେନ୍ଦୁଝର:ଘଷିପୁରା ନିର୍ବାଚନ ମଣ୍ଡଳୀ ଧୀରେ ଧୀରେ ଅଶାନ୍ତ ଆଡ଼କୁ ଗତି କରୁଛି । ନିର୍ଵାଚନ ମଣ୍ଡଳୀର ଶାସକ ବିଜୁ ଜନତା ଦଳର ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପ୍ରତ୍ୟକ୍ଷ ତ୍ୱତ୍ତ୍ବାବଧାନରେ ଏଭଳି ଅଶାନ୍ତ ପରିବେଶ ସୃଷ୍ଟି ହେଉଥିବା ଅଭିଯୋଗ କରିଛି ବିଜେପି । ଏନେଇ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରିଛି ବିଜେପି ପ୍ରତିନିଧି ଦଳ ।
ତେବେ ବଦ୍ରିଙ୍କ ସମର୍ଥକମାନେ ଗତ ୪ ତାରିଖ ଦିନ ଦେଓଗାଁର ଅନୁସୂଚିତ ଜାତିର ଯୁବକ ରାଜୀବ ଲୋଚନ ଜେନାଙ୍କୁ ରେକୁଟିଆ ଠାରେ ଖଣ୍ଡା ଓ ବିଭିନ୍ନ ମାରଣାସ୍ତ୍ର ଦ୍ଵାରା ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ କରିଛି ଦଳ । ଏହି ଆକ୍ରମଣ ଫଳରେ ସେ ବର୍ତ୍ତମାନ କଟକ ଏସସିବିରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି । ଏହାର ପ୍ରତିବାଦରେ ଗତକାଲି ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ)ର ରାଜ୍ୟ ସଭାପତି ମହେଶ୍ଵର ସାହୁଙ୍କ ନେତୃତ୍ଵରେ ଏକ ଟିମ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଥିଲେ । ତାଙ୍କ ସହ ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଞ୍ଜ ପ୍ରସାଦ ସାହୁ, ବିଜେପି ସମବାୟ ସେଲର କେନ୍ଦୁଝର ଜିଲ୍ଲା ସଂଯୋଜକ ଅଜୟ କୁମାର ସାହୁ, ବିଜେପି ଜିଲ୍ଳା କାର୍ଯ୍ୟାଳୟ ସଂପାଦକ ପ୍ରକାଶ ସୂତ୍ରଧର, ବରିଷ୍ଠ ବିଜେପି ନେତା ସୁବ୍ରତ କୁମାର ମହାନ୍ତି ଓ କେନ୍ଦୁଝର ଜିଲ୍ଲା ବିଜେପିର ବରିଷ୍ଠ ନାରୀ ନେତ୍ରୀ ସାବିତ୍ରୀ ବିଶ୍ବାଳ ପ୍ରମୁଖ ଥିଲେ ।