କେନ୍ଦୁଝର: ତୁଟୁନି ଆବାସ କଳି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ଗର୍ଜିଛି ବିଜେପି । ୧୦- ୨୦ ହଜାର ଟଙ୍କା ନେଇ ତାଲିକାଭୁକ୍ତ କରାଇଦେବା ପାଇଁ କିଛି ଶାସକ ଦଳର କର୍ମୀ ଓ ବ୍ଲକର ଅସାଧୁ କର୍ମଚାରୀମାନେ ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି । ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରାଯାଇନଥିବା ଅଭିଯୋଗରେ ସଦର ବ୍ଲକ୍ ଅଫିସ୍ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସୋମବାର ସ୍ଥାନୀୟ କାଳି ପଡିଆଠାରୁ ଏକ ବିଶାଳ ରାଲିରେ ବାହାରି ସହର ପରିକ୍ରମା କରିବା ପରେ ବ୍ଲକ୍ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ବିଜେପି । ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ବହୁ ଅନିୟମିତତା କରାଯାଇଥିବା ଅଭିଯୋଗରେ ଏହି ପ୍ରଦର୍ଶନ କରାଯାଇଥିଲା । ଯେଉଁମାନେ ଯୋଗ୍ୟ ହିତାଧିକାରୀ ଥିଲେ, ସେମାନେ ଏହି ତାଲିକାରୁ ବଞ୍ଚିତ ହୋଇଥିବା ବେଳେ ଅଯୋଗ୍ୟ ହିତାଧିକାରୀମାନେ ଏହାର ତାଲିକାଭୁକ୍ତ ହୋଇଥିବା ଅଭିଯୋଗ କରିଛି ବିଜେପି । ଖାଲି ସେତିକି ନୁହେଁ, ୧୦ରୁ ୨୦ ହଜାର ଟଙ୍କା ନେଇ ତାଲିକାଭୁକ୍ତ କରାଇଦେବା ପାଇଁ କିଛି ଶାସକ ଦଳର କର୍ମୀ ଓ ବ୍ଲକର ଅସାଧୁ କର୍ମଚାରୀମାନେ ଦୁର୍ନୀତି କରିଥିବା ମଧ୍ୟ ଅଭିଯୋଗ ହୋଇଛି । ସଦର ବିଧାୟକ ତଥା ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।