କେନ୍ଦୁଝର: ଗତକାଲି କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକ ଅନ୍ତର୍ଗତ ନିଶ୍ଚିନ୍ତପୁର ଗ୍ରାମରେ ଘଟି ଏକ କୋଚିଂ ସେଣ୍ଟରରେ ସାପ କାମୁଡ଼ାରେ ୩ ଶିଶୁ ମୃତ୍ୟୁ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ଗ୍ରାମର ଜଣେ ସେବାନିବୃତ ଶିକ୍ଷକଙ୍କ ଦ୍ବାରା ପରିଚାଳିତ ଏକ କୋଚିଂ ସେଣ୍ଟରରେ ଘଟିଥିବା ଏହି ଅଘଟଣରେ ଜଣେ ଶିଶୁ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ପ୍ରଘଟ ହେବାପରେ ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଟିମ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲା । ଆଜି ଏହି ଘଟଣାର ସରଜମିନ ଅନୁଧ୍ୟାନ ପାଇଁ ବିଜେପି ପକ୍ଷରୁ ଏକ ପ୍ରତିନିଧି ଦଳ କୋଚିଂ ସେଣ୍ଟରରେ ପହଞ୍ଚିଥିଲା । ତେବେ ଏଭଳି ଘଟଣା ପାଇଁ ରାଜ୍ୟରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ଦାୟୀ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।
କେନ୍ଦୁଝର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ବିଜେପିର ଏକ ଟିମ ଆଜି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ବିଷୟରେ ପଚାରି ବୁଝିଥିଲେ । ଏହି ସାପ କାମୁଡା ଘଟଣା କିପରି ଘଟିଲା ସେନେଇ ବିଜେପି ଟିମ କୋଚିଂ ସେଣ୍ଟରରେ ଥିବା ଶିକ୍ଷକଙ୍କ ଠାରୁ ପଚାରି ବୁଝିଥିଲେ । ଏହି କୋଚିଂ ସେଣ୍ଟର ଦୀର୍ଘ ୧୫ ବର୍ଷ ଧରି ଏହି ଅଞ୍ଚଳରେ ବିନା କୌଣସି ସରକାରୀ କାଗଜପତ୍ରରେ ଚାଲୁଥିବା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ । ବିଧାୟକ ମୋହନ ମାଝୀ କହିଛନ୍ତି, "ରାଜ୍ୟ ସରକାର 5T ନାମରେ ଶିକ୍ଷାର ଉନ୍ନତିକରଣ ନେଇ ଡିଣ୍ଡିମ ପିଟୁଛନ୍ତି । ହେଲେ ଏହି ଘଟଣା ସରକାରଙ୍କ ମୁଖା ଖୋଲିଦେଇଛି । ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ସେଥିପାଇଁ ଏଭଳି ମାଳ ମାଳ କୋଚିଂ ସେଣ୍ଟର ଖୋଲୁଛି । ଯାହା ସରକାରଙ୍କ ଶିକ୍ଷା ନୀତିକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।"