କେନ୍ଦୁଝର: କୋରୋନା ମହାମାରୀରେ ସାରା ଦେଶ ବ୍ୟତିବ୍ୟସ୍ତ । ଏହି କୋରୋନା ଯୋଗୁଁ ବହୁ ଲୋକଙ୍କ ଜୀବନ ହାନୀ ଘଟିଛି । ବହୁ ଶିଳ୍ପାନୁଷ୍ଠାନ ବନ୍ଦ ହୋଇଥିବା ବେଳେ ବହୁ ଲୋକଙ୍କ ରୋଜଗାର ଉପରେ ମଧ୍ୟ ଏହା ପ୍ରଭାବ ପକାଇଛି । ବିଶେଷ କରି ଯୁବପୀଢିଙ୍କ ଉପରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି । ରୋଜଗାର ଦେଉଥିବା ଅନୁଷ୍ଠାନ ଗୁଡିକ ବନ୍ଦ ହେବା ଫଳରେ ଯୁବପିଢ଼ି ଘରେ ରହିବାକୁ ବାଧ୍ୟ ହୋଇଛନ୍ତି । କିନ୍ତୁ, ଏହି କୋରୋନାରେ ରୋଜଗାର ହାତଛଡା ହୋଇଯାଇଥିଲେ ହେଁ ଏଥିରେ ବ୍ୟଥିତ ନହୋଇ ନିଜକୁ ଗଢି ତୋଳିବାକୁ ଚେଷ୍ଟା କରିଛନ୍ତି କେନ୍ଦୁଝର ସହରର ଜଣେ ଯୁବକ ।
ଉଚ୍ଚ ବେତନ ଚାକିରୀ ଯିବା ପରେ ଅନ୍ୟ ଚାକିରୀ ପଛରେ ନପଡ଼ି ନିଜକୁ ସ୍ୱାବଲମ୍ବୀ କରିବାକୁ ଅଣ୍ଟା ଭିଡିଛନ୍ତି ରାକେଶ ସାହୁ । ସରକାରୀ ସହାୟତାରେ ଆରମ୍ଭ କରିଛନ୍ତି ବାୟୋଫ୍ଲକ ମାଛ ଚାଷ । ଆଧୁନିକ ଫୋରେଷ୍ଟ ନାମକ ଅନୁଷ୍ଠାନ ଗଢି ନିଜର ବାଡ଼ିରେ ଉନ୍ନତ ପ୍ରଣାଳୀର ମାଛ ଚାଷ ପାଇଁ 6 ଟି ମାଛ କୁଣ୍ଡ ନିର୍ମାଣ କରିଛନ୍ତି । ସରକାରୀ ସହାୟତା ଛଡା ନିଜର କିଛି ପୁଞ୍ଜି ନିବେଶ କରି ଏଥିରେ ଅଧିକ ଉତ୍ପାଦନକ୍ଷମ ଥିବା ମାଛ ଚାଷ ଆରମ୍ଭ କରିଛନ୍ତି ।