ଓଡିଶା

odisha

By

Published : Jul 5, 2021, 10:21 PM IST

ETV Bharat / state

କାଙ୍କଡ଼ ଚାଷ ଦେଖାଇଛି ସ୍ବାବଲମ୍ବୀ ହେବାର ବାଟ

କେନ୍ଦୁଝରରେ ମହିଳା ସ୍ବଂୟ ସହାୟିକା ଗୋଷ୍ଠୀକୁ ସ୍ବାବଲମ୍ବୀ କରିଛି କାଙ୍କଡ ଚାଷ । ଅଧିକ ପଢନ୍ତୁ...

କାଙ୍କଡ଼ ଚାଷ ଦେଖାଇଛି ସ୍ବାବଲମ୍ବୀ ହେବାର ବାଟ
କାଙ୍କଡ଼ ଚାଷ ଦେଖାଇଛି ସ୍ବାବଲମ୍ବୀ ହେବାର ବାଟ

କେନ୍ଦୁଝର : କୋରୋନା ମହାମାରୀ ସାଙ୍ଗକୁ ଅଦିନିଆ ବର୍ଷା ଚାଷୀର ଅଣ୍ଟା ଭାଙ୍ଗି ଦେଇଛି । ଅଦିନିଆ ବର୍ଷା ଯୋଗୁଁ ବହୁ ଚାଷୀଙ୍କ ବିଲରେ ଫସଲ ନଷ୍ଟ ହୋଇଛି । ଚାଷୀର ପନିପରିବା ନଷ୍ଟ ହେବାରୁ ବଜାରରେ ଏବେ ପରିବା ଆକାଶ ଛୁଆଁ । ପରିବା କିଣିବାକୁ ଗଲାବେଳେ ସାଧାରଣ ବର୍ଗଙ୍କ ପାଇଁ ଦର ଯୋଗୁଁ କିଣିବା କାଠିକର ପାଠ ହୋଇଛି । ବଜାରରେ ଏହି ପରିବା ମଧ୍ୟରେ କାଙ୍କଡ଼ ପରିବା ଦର ଆକାଶ ଛୁଆଁ ହୋଇଛି । ଏହି ଦୁର୍ମୂଲ୍ୟ ହୋଇପଡିଥିବା ପରିବାକୁ ଚାଷ କରି ସ୍ବାବଲମ୍ବୀ ହେବାକୁ ଆଶା ରଖିଛନ୍ତି ସଦର ବ୍ଲକ ସିଲିସୁଆଁ ଗ୍ରାମର କିଛି ସ୍ବଂୟ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ।

କାଙ୍କଡ଼ ଚାଷ ଦେଖାଇଛି ସ୍ବାବଲମ୍ବୀ ହେବାର ବାଟ

ଏହି ମହିଳାମାନେ ଆଇଡିଏ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ତାଲିମ ପାଇ ନିଜ ବିଲରେ ଏକ ସଙ୍ଗେ ଆରମ୍ଭ କରିଛନ୍ତି କାଙ୍କଡ଼ ଚାଷ । ମଲଚିଂ, ଟ୍ରେଲିଚ ଆଦି ନୂତନ ଜ୍ଞାନ କୌଶଳ ସହାୟତାରେ ଏହି ଏକ ଏକରରୁ ଊର୍ଦ୍ଧ୍ବ ଜମିରେ କାଙ୍କଡ଼ ଚାଷ ଆରମ୍ଭ କରିଛନ୍ତି । କାଙ୍କଡ଼ ଏବେ ଅମଳ ହେବାକୁ ଆରମ୍ଭ କରିଥିବା ବେଳେ ସ୍ଥାନୀୟ ଜନସାଧାରଣ ଓ ବଜାରରେ ବିକିବା ଆରମ୍ଭ କରିଛନ୍ତି ଗୋଷ୍ଠୀର ସଦସ୍ୟାମାନେ । ପୂର୍ବରୁ ପାରମ୍ପରିକ ଭାବେ ବିଲାତି, ବାଇଗଣ ଆଦି ଚାଷ ଏହି ମହିଳାମାନେ କରୁଥିବା ବେଳେ କ୍ଷତି ସହିବାକୁ ପଡୁଥିଲା । କିନ୍ତୁ ଏହି ନୂତନ ଜ୍ଞାନ କୌଶଳରେ ଆରମ୍ଭ ହୋଇଥିବା କାଙ୍କଡ଼ ଚାଷ ପରିବାରର ମେରୁଦଣ୍ଡ ସିଧା କରିବାରେ ସକ୍ଷମ ହେବ ବୋଲି ମହିଳାମାନେ ଆଶା ରଖିଛନ୍ତି ।

ବର୍ତ୍ତମାନ ଦୈନିକ 10 କିଲୋଗ୍ରାମରୁ ଊର୍ଦ୍ଧ୍ବ କାଙ୍କଡ଼ ଅମଳ ହେଉଥିବାବେଳେ ଆଗାମୀ ଦିନରେ ଏକ ଟନ ପର୍ଯ୍ୟନ୍ତ ଅମଳ ହେବା ନେଇ ମହିଳାମାନେ ପ୍ରକାଶ କରିଛନ୍ତି । ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ଆରମ୍ଭ ହୋଇଥିବା ଏହି ଚାଷ ଅନ୍ୟ ବ୍ଲକ ଗୁଡିକରେ ଆଗାମୀ ଦିନରେ ବିନିଯୋଗ କରାଯିବ ବୋଲି ଆଇଡିଏର ସ୍ବେଚ୍ଛାସେବୀ ପ୍ରକାଶ କରିଛନ୍ତି । ଏହି କାଙ୍କଡ଼ ଚାଷ ସିଲିସୁଆଁ ଗ୍ରାମର ମହିଳାଙ୍କୁ ସ୍ବାବଲମ୍ବୀ କରିଥିବାବେଳେ ଅନ୍ୟ ମହିଳାଙ୍କ ପାଇଁ ଏହା ପ୍ରେରଣା ହେବ ବୋଲି ସ୍ବେଚ୍ଛାସେବୀ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details