କେନ୍ଦୁଝର:କଥାରେ ଅଛି ମାନବ ସେବା ହିଁ ମାଧବ ସେବା । ଅନେକ ଏହାକୁ ଜୀବନର ବ୍ରତ କରି ନିଅନ୍ତି । କିଛି ଏମିତି ବ୍ୟକ୍ତିତ୍ବ ଅଛନ୍ତି ଯିଏ ଲୋକଙ୍କ ପାଇଁ ବଞ୍ଚନ୍ତି । ଲୋକଙ୍କ ସୁଖରେ ସୁଖୀ ଓ ଦୁଃଖରେ ଦୁଃଖୀ ହୋଇଥାନ୍ତି । ସ୍ଥିତି ପରିସ୍ଥିତି ସବୁର ସାମ୍ନା କରି ଲୋକଙ୍କ ସେବା କରନ୍ତି । ସେମିତି ଜଣେ ମଣିଷ ହେଉଛନ୍ତି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅଧୀନ ଗୌଣିଘଷା ସ୍ବାସ୍ଥ୍ୟ ଉପକେନ୍ଦ୍ରର ଏଏନଏସ ମହିଳା ସ୍ବାସ୍ଥ୍ୟକର୍ମୀ ଦମୟନ୍ତୀ ରାଉତ । ତାଙ୍କ ସେବାକୁ ମିଳିଛି ଜାତୀୟ ସମ୍ମାନ । ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ନର୍ସ ସମ୍ମାନ-୨୦୨୧ (National Florence Nightingale Nurses Award) ପାଇବା ପାଇଁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି ଦମୟନ୍ତୀ ।
ସେବା ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଦମୟନ୍ତ୍ରୀ ରାଉତ । ଘଷିପୁରା ବ୍ଲକର ତରିମୂଳ ଗ୍ରାମରେ ୧୯୬୮ରେ ଜନ୍ମଗ୍ରହଣ କରିଥିଲେ ଦମୟନ୍ତ୍ରୀ ରାଉତ । ଏଏନ୍ଏମ୍ ପାଠ ପଢି ପ୍ରଥମେ ଅନୁଗୋଳ ଜିଲା ଖମାରରେ ମହିଳା ସ୍ବାସ୍ଥ୍ୟକର୍ମୀ (ଏଏନ୍ଏମ୍) ଭାବେ କାମ ଆରମ୍ଭ କରିଥିଲେ । ପରେ ସେ କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ କାଶିଆ ସ୍ବାସ୍ଥ୍ୟ ଉପକେନ୍ଦ୍ର ଓ ପରେ ୨୦୦୩ରେ ହରିଚନ୍ଦନପୁର ଗୌଣିଘଷା ସ୍ବାସ୍ଥ୍ୟ ଉପକେନ୍ଦ୍ରକୁ ବଦଳି ହୋଇ ଗରିବ, ନିରକ୍ଷର ତଥା ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ପାଇଁ ନିରବଚ୍ଛିନ୍ନ ଭାବେ କାମ କରି ଆସୁଛନ୍ତି ।
ଦମୟନ୍ତୀ ଦୀର୍ଘ ୧୯ ବର୍ଷ ହେଲା ହରିଚନ୍ଦନପୁର ବ୍ଲକର ଦୁର୍ଗମ ଗୌଣିଘଷା ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ କାମ କରି ଲୋକଙ୍କ ସେବା କରିଆସୁଛନ୍ତି । ଏହି ସ୍ବାସ୍ଥ୍ୟ ଉପକେନ୍ଦ୍ର ଉପରେ ୫୫୦୦ ଆଦିବାସୀ ଲୋକ ନିର୍ଭର କରିଥାନ୍ତି । ଗୋଟିଏ ଗ୍ରାମରୁ ଅନ୍ୟ ଗ୍ରାମକୁ ଚାଲି ଚାଲି କିମ୍ବା ସାଇକେଲରେ ଯାତାୟାତ କରି ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି ସେ । ବିଶେଷ କରି ଘର ଘର ବୁଲି ଗର୍ଭବତୀଙ୍କ ଅବସ୍ଥା ଓ ଶିଶୁମାନଙ୍କ ଯତ୍ନ ତଦାରଖ କରିବା ସହ ଛୋଟ ଛୋଟ ପିଲାଙ୍କ ଟିକାକରଣ କାର୍ଯ୍ୟକ୍ରମ, ମହିଳା ଓ ପୁରୁଷ ବନ୍ଧ୍ୟାକରଣ, ସୁରକ୍ଷିତ ମାତୃତ୍ୱ, ପରିବାର ନିୟୋଜନ, ସ୍ବଚ୍ଛ ଭାରତ ଅଭିଯାନ ଆଦି କାର୍ଯ୍ୟକ୍ରମ ତଥା କୋରୋନା ମହାମାରୀ ସମୟରେ ଲୋକଙ୍କୁ ସଚେତନ କରିବା ଆଦି କାର୍ଯ୍ୟ ସୁଚାରୁରୂପେ କରି ଆସିଛନ୍ତି।