ଆନନ୍ଦପୁର: ଦୁର୍ଦ୍ଦିନରେ ବାଉଁଶ କାରିଗର । ଲକଡାଉନ ଭାଙ୍ଗି ଦେଇଛି ବାଉଁଶ କାରିଗରଙ୍କ ମେରୁଦଣ୍ଡ । ବାଉଁଶ ତିଆରି ଜିନିଷ ବିକ୍ରି ନହୋଇ ପଡିରହିଛି ।କିଣିବାକୁ ଜଣେ ହେଲେ ଗ୍ରାହକ ନାହାଁନ୍ତି । ରୋଜଗାର ଛଡାଇ ନେଲା ଲକଡାଉନ । ବଜାର ବନ୍ଦ ଓ କଟକଣା ଯୋଗୁଁ ବାହାରୁ ଗାଡି ଆସି ନପାରିବାରୁ କ୍ଷତି ସହୁଛନ୍ତି କାରିଗର । ବାଉଁଶରୁ ବିଭିନ୍ନ ପ୍ରକାର ଜିନିଷ ତିଆରି କରି ତାକୁ ବିକ୍ରି କରି ଗୁଜୁରାଣ ମେଣ୍ଟାଉଥିବା ପରିବାର ଏବେ ଚିନ୍ତାରେ ପଡିଛନ୍ତି । ଏ ଦୃଶ୍ୟ ହେଉଛି କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ କେଶଦୂରାପାଳ ଗାଁର ।
ଏହି ଗାଁରେ ପାଖାପାଖି ୫୦ ପରିବାର ବାଉଁଶ କାରିଗର । ବାଉଁଶରୁ ବିଭିନ୍ନ ପ୍ରକାର ଜିନିଷ ତିଆରି କରି ତାହାକୁ ବିକି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି । ହେଲେ ଲକଡାଉନ ଯୋଗୁଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି କାରିଗର । ନା ତିଆରି ଜିନିଷ ବିକି ପାରୁଛନ୍ତି ନା କଞ୍ଚା ମାଲ ଆଣିପାରୁଛନ୍ତି । ଲକଡାଉନ ପାଇଁ ହାଟ ବଜାର ବନ୍ଦ ସହ କଟକଣା ଲାଗିରହିଥିବାରୁ ରୋଜଗାର ପୁରା ସୁନ ହୋଇପଡିଛି । ଯାହାକି ପରିବାର ଚଳାଇବା କଷ୍ଟକର ହୋଇପଡିଛି ।