କେନ୍ଦୁଝର: ସ୍ବାସ୍ଥ୍ୟ ସେବାର ପୁଣି ଏକ ଦୟନୀୟ ଚିତ୍ର ସାମ୍ନାକୁ ଆସିଛି । ଭଲ ରାସ୍ତା ନଥିବାରୁ ପୁଣି ଖଟିଆରେ ବୁହା ହେଲେ ରୋଗୀ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍ ଅନ୍ତର୍ଗତ ବସିରା ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ ।
ସୂଚନାନୁସାରେ, ଶନିବାର ବସିରା ଗାଁ ଚତୁରୀ ସାହିର ଜଣେ ୬୫ ବର୍ଷୀୟ ବୃଦ୍ଧ ସୁନାରାମ ମୁଣ୍ଡାଙ୍କ ଶରୀର ଅସୁସ୍ଥ ହୋଇଥିଲା । ଅପରାହ୍ନରେ ଗୁରୁତର ସୁନାରାମଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା । ତେବେ ଗାଁ ରାସ୍ତା ଖରାପ ଥିବାରୁ ଚତୁରୀ ସାହି ପର୍ଯ୍ୟନ୍ତ ଯାଇପାରିନଥିଲା ଆମ୍ବୁଲାନ୍ସ । ଫଳରେ ୨ କିମି ପୂର୍ବରୁ ରଜିଆ ବନ୍ଧ ନିକଟରେ ଅଟକି ଯାଇଥିଲା ଆମ୍ବୁଲାନ୍ସ । ବାଧ୍ୟ ହୋଇ ୧୦୮ ଆମ୍ବୁଲାନ୍ସର ୩ ଜଣ କର୍ମଚାରୀ ଅମରନାଥ ମହାନ୍ତ, ପୂର୍ଣ୍ଣଚନ୍ଦ୍ର ମହାନ୍ତ, ଉତ୍କଳ ମହାନ୍ତ ଚାଲିଚାଲି ଚତୁରୀ ସାହିକୁ ଯାଇ ଅସୁସ୍ଥ ସୁନାରାମଙ୍କୁ ପରିବାର ଲୋକଙ୍କ ସହାୟତାରେ ଖଟିଆରେ ୨ କିମି ପର୍ଯ୍ୟନ୍ତ ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ଏହା ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ ।