କେନ୍ଦୁଝର: ଘରର ରୋଜଗାର ମେଣ୍ଟାଇବା ପାଇଁ ଅଣ୍ଟା ଭିଡିଛନ୍ତି ଆଦିବାସୀ ମହିଳା । ତେଲ ଲୁଣର ସଂସାର ଚଳାଇବାକୁ ପୁରୁଷଙ୍କ ସହ ବାହାରକୁ କାଢିଛନ୍ତି ପାଦ । ବିଭିନ୍ନ ନଦୀ, ପୋଖରୀ ବନ୍ଧରୁ ଖଜୁରୀ ପତ୍ର ତୋଳିବା କଷ୍ଟକର । ହେଲେ ଏହା ଏମାନଙ୍କ ପାଇଁ ସବୁଦିନିଆ କାମ । ଏହାକୁ ଶୁଖାଇ ଏଥିରୁ ବୁଣନ୍ତି ପଟି । 2ରୁ 3 ଜଣ ମହିଳା ମିଶିଲେ ତିଆରି ହୁଏ 3ରୁ ଅଧିକ ପଟି । ଦୈନିକ ହାଟ କିମ୍ବା ଗ୍ରାମକୁ ଆସୁଥିବା ବେପାରୀକୁ ପଟି ବିକି କରନ୍ତି ରୋଜଗାର ।
ଆଦିବାସୀ ମହିଳାଙ୍କ ଦୁଃଖ: ବୁଣୁଛନ୍ତି ପଟି, କିଣିବାକୁ ନାହାନ୍ତି ବେପାରୀ କିନ୍ତୁ ଲକଡାଉନ ଏମାନଙ୍କ ରୋଜଗାରରେ ସାଜିଛି ବାଧା । ଆସୁନାହାନ୍ତି ବେପାରୀ । ହାଟକୁ ବି ଯିବା ଅସମ୍ଭବ । କେବଳ ଘରେ ବସି ବୁଣୁଛନ୍ତି ପଟି । ଟଙ୍କା ମିଳିବା ଦୂର କଥା । ପଟି ଦେଇ ଖାଇବା ପାଇଁ ଚାଉଳ ଗଣ୍ଡେ ମିଳିବା ବଡ କଥା ବୋଲି ଦୁଃଖର ସହ କହିଛନ୍ତି ଆଦିବାସୀ ମହିଳା । ଏମାନେ ହେଉଛନ୍ତି କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡା ପଞ୍ଚାୟତ ମଦରଙ୍ଗାଯୋଡି ଗ୍ରାମର ୩୦ରୁ ଉର୍ଦ୍ଧ୍ବ ଆଦିବାସୀ ପରିବାର ।
କୋରୋନା ମୁକାବିଲା ପାଇଁ ଘୋଷଣା ହୋଇଛି ଲକଡାଉନ । ସମସ୍ତ ଯାନବାହନ ଚଳାଚଳ ବନ୍ଦ କରାଯାଇଥିବାବେଳେ ଅତ୍ୟାବଶ୍ୟକୀୟ ଜିନିଷ ଛଡା ଆଉ ସବୁକୁ ବନ୍ଦ କରାଯାଇଛି । ଏହି ଲକଡାଉନରେ ଅନ୍ୟ କାରିଗରଙ୍କ ପରି ବନ୍ଦ ହୋଇଛି ପଟିଆ ବୁଣି ଗୁଜୁରାଣ ମେଣ୍ଟାଉ ଥିବା ଆଦିବାସୀ ପରିବାରଙ୍କର ରୋଜଗାର । ଲକଡାଉନରେ ସମସ୍ତ ବେପାର ମାନ୍ଦା । ସବୁ ବ୍ୟବସାୟୀ ସହିଛନ୍ତି କ୍ଷତି ।
ହେଲେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଛୋଟ କାରିଗର । ବାଉଁଶ କାରିଗରଙ୍କଠାରୁ ହସ୍ତଶିଳ୍ପୀ । ଲକଡାଉନରେ ଜାରି ରହିଛି ସମସ୍ତଙ୍କର ମାନ୍ଦାବସ୍ଥା । କ୍ଷତିଗ୍ରସ୍ତଙ୍କ ମଧ୍ୟରେ ଅଛନ୍ତି ପଟି ବୁଣି ଗୁଜୁରାଣ ମେଣ୍ଟାଉଥିବା ଏହି ପରିବାର । ଲକଡାଉନରେ ସମସ୍ତେ ଘରେ ବସିଛନ୍ତି । ହେଲେ ଏହି ଆଦିବାସୀ ମହିଳାମାନେ ଲାଗିଛନ୍ତି ପଟି ବୁଣାରେ । ଆଶା ଲକଡାଉନ ଖୋଲିଲେ ବଢିବ ବେପାର । ଆଉ ପୁଣି ହସଖୁସିରେ ଚାଲିବ ସେମାନଙ୍କ ସଂସାର ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ