କେନ୍ଦୁଝର: ସରକାର ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ଯୋଜନାମାନ କରୁଛନ୍ତି । ଏହା ସତ୍ତ୍ବେ ଲୋକମାନେ ମେଡିକାଲରେ ଚିକିତ୍ସା ହେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏହି ଟଙ୍କା ବହୁ ସମୟରେ ଅପବ୍ୟୟ ହେଉଥିବା ନଜରକୁ ଆସୁଛି । ଏହିଭଳି ଟଙ୍କାର ଦୁରୁପଯୋଗର ନିଚ୍ଛକ ଉଦାହରଣ ପାଲିଟିଛି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ନୂତନ ନିର୍ମିତ ମାତୃ ଓ ଶିଶୁ ବିଭାଗ ।
୮ କୋଟି ୧୨ ଲକ୍ଷ ଟଙ୍କାରେ ବ୍ୟୟ ବରାଦ ହୋଇଥିବା ଏହି ନୂତନ ବିଭାଗର ଲକ୍ଷ୍ୟ ଥିଲା ଏଠାକୁ ଆସୁଥିବା ମା ଓ ଶିଶୁଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଦେଇ ଚିକିତ୍ସା କରିବା । କିନ୍ତୁ ଏହି ଲକ୍ଷ୍ୟ ଏବେ ଦିଗଭ୍ରଷ୍ଟ ହୋଇଛି ।
ପ୍ରକଳ୍ପ ନିୟମ ଅନୁଯାୟୀ ଏହି ନୂତନ ଵିଲଡିଂରେ ମାତୃ ଓ ଶିଶୁଙ୍କୁ ନିରୋଗ ରଖିବା ପାଇଁ ସମସ୍ତ ୱାର୍ଡରେ ନୂତନ ଏୟାର କାଣ୍ଡିସନର( ଏସି) ଲଗାଯାଇଛି । କିନ୍ତୁ ଏସି ଗୁଡିକ ଲାଗିବା ଦିନରୁ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଵିଲଡିଂଟି କାର୍ଯ୍ୟକ୍ଷମ ହେବାର ତିନି ବର୍ଷ ହେଲାଣି । କିନ୍ତୁ ଏହି ଏସି ଗୁଡିକ ସେହିପରି ବିନା କାର୍ଯ୍ୟରେ କାନ୍ଥରେ ଟଙ୍ଗା ହୋଇଛି ।