କେନ୍ଦୁଝର:ଭାଇ-ଭଉଣୀ ସମ୍ପର୍କ ସବୁ ସମ୍ପର୍କଠୁ ଊର୍ଦ୍ଧ୍ବରେ । ରାକ୍ଷୀ ବାନ୍ଧି ନିଜ ସୁରକ୍ଷା ବଚନ ନିଏ ଭଉଣୀ । ଭାଇ ସାଥିରେ ଥିଲେ ଦୁନିଆକୁ ଡରେନି ଭଉଣୀ । କିନ୍ତୁ ଏଠି ସାମାନ୍ୟ ଟଙ୍କା ଆଗରେ ତୁଚ୍ଛ ହୋଇଛି ଭାଇର ମମତା । ଚିକିତ୍ସା ପାଇଁ ଟଙ୍କା ନଦେବାରୁ ଭାଇ ଗୁଳିରେ ପ୍ରାଣ ହରାଇଛି ଭଉଣୀ । କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ସୋମଗିରି ଗ୍ରାମରେ ଘଟିଛି ଏଭଳି ସ୍ପର୍ଶକାତର ଘଟଣା । ନିଜ ଭାଇ ଗୁଳିରେ ଭଉଣୀର ଜୀବନ ଯାଇଛି ।
ସୋମଗିରି ଗ୍ରାମର ପ୍ରସନ୍ନ ବାରିକ ଗନ୍ ମ୍ୟାନ ଭାବେ କାର୍ଯ୍ୟ କରନ୍ତି । ତାଙ୍କର କିଛି ଦିନ ହେବ ଦେହ ଅସୁସ୍ଥ ଥିଲା। ଚିକିତ୍ସା ପାଇଁ ତାଙ୍କ ପାଖରେ ଆବଶ୍ୟକୀୟ ପରିମାଣର ଅର୍ଥ ନଥିଲା । ତେଣୁ ସେ ତାଙ୍କ ଭଉଣୀ ମାଳତୀ ବାରିକଙ୍କୁ ଚିକିତ୍ସା ପାଇଁ ଟଙ୍କା ମାଗିଥିଲେ । କିନ୍ତୁ ଭଉଣୀ ଟଙ୍କା ଦେବାକୁ ସିଧାସଳଖ ମନା କରିଦେଇଥିଲେ । ତେବେ ଭଉଣୀ ମନା କରିବାରୁ ପ୍ରବଳ ରାଗିଯାଇଥିଲେ ପ୍ରସନ୍ନ । ଆଉ ରାଗ ଜର୍ଜରିତ ହୋଇ ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରେ ଭଉଣୀକୁ ଗୁଳି ମାରି ଦେଇଥିଲେ ।
ଗୁଳିକାଣ୍ଡ ପରେ ଘଟଣା ସ୍ଥଳରେ ହିଁ ମାଳତୀଙ୍କ ଜୀବନ ଯାଇଥିବା ଜଣାପଡିଛି । ଆଉ ଏଭଳି ଘଟଣା ପରେ ପ୍ରସନ୍ନ ଏନେଇ ନିଜ ପରିବାରଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ପରିବାର ଲୋକେ ତୁରନ୍ତ ପଣ୍ଡାପଡା ଥାନାକୁ ଖବର ଦେଇଥିଲେ । ପୋଲିସ ସେଠାରେ ପହଞ୍ଚିଥିବାବେଳେ ମାଳତୀଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଳୟରେ ଭର୍ତ୍ତି କରିବାବେଳେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରୁ ପୋଲିସ ପ୍ରସନ୍ନଙ୍କୁ ଗିରଫ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି।