କେନ୍ଦୁଝର: ବନଖଣ୍ଡ ଭୂୟାଁ ଜୁଆଙ୍ଗ ପିଢ ରେଞ୍ଜ ଅଞ୍ଚଳରେ ୨ଟି ହାତୀର ମୃତଦେହ ଠାବ ହୋଇଛି । ହାତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ କେନ୍ଦୁଝର DFO ସ୍ବୟଂମ ମଲ୍ଲିକ କିଛି ବରିଷ୍ଠ ବନ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି ।
ଭୂୟାଁ ଜୁଆଙ୍ଗ ପିଢ଼(ବିଜେପି) ରେଞ୍ଜ ଅନ୍ତର୍ଗତ କୁଶକଳା ପଞ୍ଚାୟତର ରବ ଗାଁ ନିକଟରେ ଏହି ୨ ହାତୀର ମୃତଦେହକୁ ଠାବ କରାଯାଇଥିଲା । ଏ ବାବଦରେ ଗାଁ ଲୋକ ବନ ବିଭାଗକୁ ଖବର ଦେଇଛନ୍ତି । ଗତ ରବିବାର ରାତ୍ରିରେ ଖାଦ୍ୟ ଅନୁସନ୍ଧାନରେ ଦଳେ ହାତୀ ରବ ଅଞ୍ଚଳରେ ବୁଲାବୁଲି କରୁଥିଲେ । କିନ୍ତୁ ଆଜି ସକାଳେ ଗୋଟିଏ ବଡ଼ ମାଈ ହାତୀ ଓ ଏକ ଛୋଟ ହାତୀର ମୃତଦେହ ଦେଖିବାକୁ ମିଳିଥିଲା ।