ଆନନ୍ଦପୁର:କେନ୍ଦୁଝରଜିଲ୍ଲା ଘସିପୁରା ବ୍ଲକ ପୁରୁଣାବାନ୍ଧଗୋଡା ଗ୍ରାମରେ 1978 ମସିହା ଏପ୍ରିଲ ମାସର 16 ତାରିଖରେ ଘଟିଥିଲା ପ୍ରଳୟଙ୍କାରୀ ଘୂର୍ଣ୍ଣିବାତ୍ୟା । ସମୟ ଅପରାହ୍ନ 4ଟା ସମୟରେ ହଠାତ୍ ମୃତ୍ୟୁରୂପୀ ପବନ ଧନେଇ ପାହାଡ଼ ପଟୁ ଗ୍ରାମ ଆଡ଼କୁ ମାଡି ଆସିଥିଲା । ଏହି ସମୟରେ ବିପଦର ସଙ୍କେତ ପରି ଆକାଶରେ ନାଲି ବାଦଲ ଘୋଟିଗଲା । କ୍ରମଶଃ ଏହା ଘନୀଭୂତ ହୋଇ ଘୂର୍ଣ୍ଣିବାତ୍ୟାର ରୂପ ନେଲା । ନିମିଷକ ମଧ୍ୟରେ ଘୂର୍ଣ୍ଣିବାତ୍ୟା ପ୍ରଳୟଙ୍କରୀ ରୂପ ଧାରଣ କଲା । କେହି କିଛି ବୁଝିବା ପୂର୍ବରୁ ଗଛଲତା, ଗାଈଗୋରୁ ଓ ମଣିଷମାନଙ୍କୁ ଆକାଶକୁ ଉଡାଇନେଲା । ଗାଁର 120ଟି ଘର ମାଟିରେ ମିଶିଗଲା । କ୍ଷଣିକ ମଧ୍ୟରେ 178 ଜଣ ଲୋକଙ୍କ ସହ 7ଶହ ଗୃହପାଳିତ ପଶୁଙ୍କ ଜୀବନ ଚାଲିଗଲା । ଗାଁ ସତେ ଯେମିତି ଶ୍ମଶାନରେ ପରିଣତ ହୋଇଗଲା ।
କେବଳ ପୁରୁଣାବାନ୍ଧଗୋଡା ଗ୍ରାମ ନୁହେଁ, ଏହି ଘୂର୍ଣ୍ଣିବାତ୍ୟା ନିକଟସ୍ଥ କରଡାମାଳି, ନର୍ଦ୍ଦା, ତିଗିରିଆ, ବିଲାବନ୍ଧ ଆଦି ଗାଁରେ ଅପୂରଣୀୟ କ୍ଷତି ଘଟାଇଥିଲା । କେହି ନିଜ ପରିବାରର ସମସ୍ତଙ୍କୁ ହରାଇ ଆତ୍ମହରା ହୋଇପଡିଥିଲା ତ କାହାର ପରିବାରର ଜଣେ ସଦସ୍ୟ ପ୍ରଳୟରୁ ବର୍ତ୍ତିଯାଇଥିଲା । ବାତ୍ୟା ଥମିବା ପରର ଦୃଶ୍ଯ ଥିଲା ଅବିଶ୍ବସନୀୟ ଓ ହୃଦୟ ବିଦାରକ । ଘଟଣା ପରେ ଦେଶ ବିଦେଶରୁ ଛୁଟିଥିଲା ସହାୟତାର ସୁଅ । ଅକାଳରେ ପ୍ରାଣ ହରାଇଥିବା ଲୋକଙ୍କର ଗାଁମୁଣ୍ଡରେ ସମୂହ ଅନ୍ତିମ ସଂସ୍କାର କରାଗଲା । ପରେ ଗ୍ରାମବାସୀଙ୍କ ଦୁଃଖଦ ବିୟୋଗର ସ୍ମୃତି ପାଇଁ ସ୍ଥାପନ କରାଗଲା ଏକ ସ୍ମୃତିସ୍ତମ୍ଭ । ସେହି ଅବିଶ୍ବସନୀୟ ଘୂର୍ଣ୍ଣିବାତ୍ୟାକୁ ଆଜି ପୂରିଛି 43ବର୍ଷ । ଏତେ ବଡ ଘୂର୍ଣ୍ଣିବାତ୍ୟା ଆଜି ବି ଭାବିଲା ବେଳକୁ ଦେହ ସିତେଇ ଉଠୁଛି ବୋଲି ଗ୍ରାମବାସୀମାନେ କହିଥାନ୍ତି ।