ଆନନ୍ଦପୁର:ଛୋଟ ଏକ ଗାଁ ରୁ ସୁଦୂର ଆମେରିକାର ନାସା। ଆମେରିକାର ନାସାରେ କାର୍ଯ୍ୟ କରିବା ପାଇଁ ସୁଯୋଗ ପାଇଛନ୍ତି ଜଣେ ଗରିବ ମେଧାବୀ ପ୍ରତିଭାବାନ ଛାତ୍ର। ତୁଳସୀ ଦୁଇପୁତ୍ରରୁ ବାସିବା ଭଳି ଛାତ୍ର ଜଣକଙ୍କ ପ୍ରତିଭା ପିଲାଟି ବେଳୁ ଜଣାପଡିଥିଲା। ଏବେ ବୟସ ମାତ୍ର ୧୫ ହେଲେ ତାଙ୍କର ଏହି ପ୍ରତିଭାକୁ ନେଇ ସ୍ଥାନୀୟ ଅଞ୍ଚଳ ଗର୍ବିତ ହୋଇ ଉଠିଛି।
କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ତରିମୂଳ ଗାଁ। ଗାଁରେ ଜଣେ ସାଧାରଣ ଶିକ୍ଷକଙ୍କ ପୁଅ ବିଶ୍ୱବନ୍ଧୁ। କିଛି ଦିନ ପୂର୍ବରୁ ଏକ ସୌରଚାଳିତ ସାଇକେଲ ନିର୍ମାଣ କରି ବେଶ ନାଁ କମାଇଥିବା ବିଶ୍ୱବନ୍ଧୁ ଏବେ ନାସାରେ କାର୍ଯ୍ୟରତ। ବର୍ତ୍ତମାନ ସେ ସ୍ଥାନୀୟ ତରିମୂଳ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀର ଛାତ୍ର ହୋଇଥିବା ବେଳେ ତାଙ୍କର ଏହି ପ୍ରତିଭାକୁ ନେଇ ସମସ୍ତେ ଗର୍ବ ଅନୁଭବ କରୁଛନ୍ତି । ବିଶ୍ୱବନ୍ଧୁଙ୍କୁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଓ ନାସା ତରଫରୁ ୩୦୦ ରୁ ଉର୍ଦ୍ଧ୍ବ ସାର୍ଟିଫିକେଟ ମିଳିଥିବା ବେଳେ ଯୁବ ବୈଜ୍ଞାନିକ ସମ୍ମାନ ପାଇଁ ମନୋନୀତ ହୋଇଥିଲେ ମଧ୍ୟ ବୟସ ହୋଇନଥିବାରୁ ମିଳିନଥିବା ପ୍ରକାଶ କରିଛନ୍ତି ସେ । ଏବେ ସେ ଘରେ ରହି ନାସା ତରଫରୁ ଅଫିସିଆଲ ଅଫିସର ପଦବୀରେ କାର୍ଯ୍ୟରତ ଥିବା ବେଳେ ନାସାରେ ନିଯୁକ୍ତି ପାଇବାକୁ ଇଛୁକ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି।