କେନ୍ଦୁଝର: ରାଜ୍ୟରେ କୋରୋନା ମାମଲାରେ ଲାଗୁନି ବ୍ରେକ । ଏହି କ୍ରମରେ ରବିବାର କେନ୍ଦୁଝର ଜିଲ୍ଲାରେ ୧୦୩ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୩୩ ଜଣ, ସ୍ଥାନୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ବା ଲୋକାଲ କଣ୍ଟାକ୍ଟ ୬୪ ଜଣ ଏବଂ ୬ ଜଣ କୋରୋନା ଯୋଦ୍ଧା ରହିଛନ୍ତି । ଏମାନେ ସମସ୍ତେ ହେଲେ ସଦର ଘସିପୁରା, ହାଟଡିହି, ଝୁମ୍ପୁରା ଆଦି ବ୍ଲକ ଅଞ୍ଚଳର ବୋଲି ଜିଲ୍ଲାପାଳ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ଗୋଟିଏ ଦିନରେ କେନ୍ଦୁଝରରୁ 103 କୋରୋନା ଆକ୍ରାନ୍ତ ଚିହ୍ନଟ ଏପଟେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୦ରେ ପହଞ୍ଚିଥିବାବେଳେ ୩୯୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ୨୧୯ ଆକ୍ରାନ୍ତ ଏବେବି ଚିକିତ୍ସିତ ହେଉଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଆହୁରି ମଧ୍ୟ ଆନନ୍ଦପୁର ମ୍ୟୁନିସିପାଲଟି ଅଞ୍ଚଳରେ ସକାଳ ୭ଟାରୁ ୨ ଟା ପର୍ଯ୍ୟନ୍ତ ସବୁ ଦୋକାନ ଖୋଲା ରହିବ ଓ ତାପରେ କେବଳ ଔଷଧ ଓ ପେଟ୍ରୋଲ ପମ୍ପ ଖୋଲା ରହିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।
ସେହିଭଳି ବଡବିଲରେ କଟକଣାକୁ ସାମାନ୍ୟ ଛାଡ କରାଯାଇ ବ୍ୟାଙ୍କ ସକାଳ ୮ ଟାରୁ ୧୨ ପର୍ଯ୍ୟନ୍ତ ଓ ଗ୍ରୋସରୀ ଆଦି ଅତ୍ୟାବଶ୍ୟକ ଦୋକାନ ୭ଟାରୁ ୨ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏହାଛଡା କୁଶୁକଳା ଗ୍ରାମପଞ୍ଚାୟତ ଅଞ୍ଚଳକୁ ଓ କବିତ୍ରା ଅଞ୍ଚଳରେ ନବ ନିର୍ମିତ ମେଡିକାଲ ଅଞ୍ଚଳକୁ ସଂପୂର୍ଣ୍ଣ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଆଗାମୀ ଦିନରେ ସାପ୍ତାହିକ ସଟଡାଉନ ନିୟମ ସରକାରଙ୍କ ନୂତନ ନିୟମ ଆସିଲା ପରେ ପ୍ରକାଶ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ