କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲାରେ ମିଶନ ଶକ୍ତି ବିଭାଗର ମିଶନ ଫେଲ ! ଖୋଦ ଶକ୍ତିମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଚଞ୍ଚକତା କରାଯାଇ ମହିଳାମାନଙ୍କ ଅଜାଣତରେ କେତେବେଳେ ସମ୍ପାଦିକା ଓ ଇସି ସଦସ୍ୟ ବଦଳୁଛନ୍ତି ତ, ଆଉ କେତେବେଳେ ମହାସଂଘ ସଭାନେତ୍ରୀଙ୍କ ଜାଲ ଦସ୍ତଖତରେ ଲକ୍ଷାଧିକ ଟଙ୍କା ଉଠୁଛି । ଯାହାକୁ ନେଇ ଏବେ ଅନଶନ ଧର୍ମଘଟ ସହ ମାମଲା ଥାନାରେ ପହଞ୍ଚିଛି ।
କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ମିଶନ ଶକ୍ତିରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ମନମାନୀ ଯୋଗୁଁ ଆଖୁଳିପଡ଼ା ପଞ୍ଚାୟତ ମହାସଂଘର ସମ୍ପାଦିକା ଓ ଇସି ସଦସ୍ୟଙ୍କୁ ବେଆଇନ ଭାବେ ବିଦା କରାଯାଇଥିବା ଅଭିଯୋଗ ହୋଇଛି । ଦୁହିଁଙ୍କ ସ୍ଥାନରେ ନୂତନ ସମ୍ପାଦିକା ଓ ଇସିଙ୍କୁ ନିଯୁକ୍ତ କରାଯିବାକୁ ଦାବି ନେଇ ବ୍ଲକ କାର୍ଯ୍ୟଳୟ ଆଗରେ ଧାରଣା ଦେଇଛନ୍ତି ଶତାଧିକ ମହିଳା । ମିଶନ ଶକ୍ତିର ଗାଇଡ଼ଲାଇନକୁ ଉଲ୍ଲଂଘନ କରି ବିନା କୌଣସି ବୈଠକରେ ନୂଆ ସମ୍ପାଦିକା ଓ ଇସି ସଦସ୍ୟଙ୍କୁ ବଛା ଯାଇଥିବା ଅଭିଯୋଗରେ ମହିଳାମାନେ ଧାରଣାରେ ବସିଛନ୍ତି ।
ସରକାରୀ ନିୟମ ଅନୁସାରେ, ସମ୍ପାଦିକା ହେବା ପୂର୍ବରୁ ଜଣେ ସଦସ୍ୟା ଇସି ମେମ୍ବର ହୋଇଥିବା ଆବଶ୍ୟକ । ବର୍ତ୍ତମାନ ଯାହାଙ୍କୁ ପଞ୍ଚାୟତ ମହାସଂଘ ସମ୍ପାଦିକା ଭାବେ ନିଯୁକ୍ତି କରାଯାଇଛି ସେ କୌଣସି ଇସି ମେମ୍ବର ନୁହନ୍ତି । ତେଣୁ ତାଙ୍କ ନିଯୁକ୍ତିକୁ ନେଇ ପଞ୍ଚାୟତ ମହାସଂଘ ଅଧିନ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ବ୍ଲକ ପ୍ରଶାସନ କାର୍ଯ୍ୟଦକ୍ଷତା ଉପରେ ସନ୍ଦେହ ପ୍ରକଟ କରିଛନ୍ତି l ପୂର୍ବରୁ ଥିବା ମହାସଂଘ ସଦସ୍ୟମାନଙ୍କୁ ରାଜନୈତିକ ଚାପରେ ବାହାର କରାଯାଇଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ପଞ୍ଚାୟତରେ କିଛି ଶାସକ ଦଳର ଚାପରେ ଏପରି କରାଯାଇଥିବା ଅଭିଯୋଗ ହୋଇଛି l