କେନ୍ଦ୍ରାପଡ଼ା: ମ୍ୟୁନିସିପାଲିଟି ପୌରାଧ୍ୟକ୍ଷା ଓ ତାଙ୍କ ସ୍ବାମୀ ତଥା ବିଜେଡି ନେତାଙ୍କ ନାଁରେ ଅସଦାଚରଣ ଅଭିଯୋଗ । ରାଜ୍ୟର ସର୍ବ ପୁରାତନ ପୌର ପରିଷଦ କେନ୍ଦ୍ରାପଡାର ପୌରାଧ୍ୟକ୍ଷା ସରିତା ସାହୁ ଓ ତାଙ୍କ ସ୍ବାମୀ ତଥା ବିଜେଡି ରାଜ୍ୟ ସମ୍ପାଦକ ରଣଜିତ ସାହୁଙ୍କ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଏନେଇ ଜଣେ କାଉନସିଲରଙ୍କ ସମେତ ୧୨ନଂ ୱାର୍ଡ ଅଧିନରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଶତାଧିକ ସଦସ୍ୟା ଜିଲ୍ଲାପାଳଙ୍କୁ ଭେଟିଛନ୍ତି ।
ଅଭିଯୋଗ ଅନୁଯାୟୀ, ପୌର ପରିଷଦର ୧୨ନଂ ୱାର୍ଡ ଅନ୍ତର୍ଗତ ହଜାରିବଗିଚାଠାରେ ଗତ ୧୧ ତାରିଖ ଦିନ ଜିଲ୍ଲାର ଦୁଇ ବରିଷ୍ଠ ମନ୍ତ୍ରୀ ପ୍ରତାପ ଦେବ ଓ ଅତନୁ ସବ୍ୟସାଚୀ ନାୟକଙ୍କ ଦ୍ବାରା ଆହାର ପ୍ରସ୍ତୁତ କେନ୍ଦ୍ର ଉଦଘାଟିତ ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏହି ଆହାର କେନ୍ଦ୍ରରୁ ଆହାର ପ୍ରସ୍ତୁତ ହୋଇ ଯିବାକୁ ଥିବାବେଳେ ପ୍ରସ୍ତୁତକାରୀ ସ୍ବୟଂ ସହାୟକ ଗୋଷ୍ଠୀ ବା ଟିମ ଚୟନ ପାଇଁ ଟେଣ୍ଡର ଡାକିବା କଥା । ଅନ୍ୟପଟେ ଯେହେତୁ ଏହି ଆହାର ପ୍ରସ୍ତୁତ କେନ୍ଦ୍ର ୧୨ ନଂ ୱାର୍ଡ ଅଧିନରେ ରହିଛି, ତେଣୁ ହିତାଧିକାରୀ ଚୟନ ସମୟରେ ସମ୍ପୃକ୍ତ କାଉନସିଲର ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଏନେଇ ସୂଚନା ଦେବା ଆବଶ୍ୟକ । ହେଲେ ପୌରାଧ୍ୟକ୍ଷା ଚଞ୍ଚକତା କରି କାହାରିକୁ ନଜଣାଇ ଟେଣ୍ଡର ଫିକ୍ସିଂ କରି ୧୭ନଂ ୱାର୍ଡର ସ୍ବୟଂ ସହାୟକ ଗୋଷ୍ଠୀକୁ ଆହାର ପ୍ରସ୍ତୁତ ପାଇଁ ଚୟନ କରିଥିବା ନେଇ ଅଭିଯୋଗ କରିଛନ୍ତି ଗୋଷ୍ଠୀର ସଦସ୍ୟା । ଏନେଇ ଗତ ୧୮ ତାରିଖ ଦିନ ମହିଳାମାନେ ପୌରାଧ୍ୟକ୍ଷାଙ୍କୁ ଭେଟିବା ପାଇଁ ତଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ହେଲେ ପୌରାଧ୍ୟକ୍ଷା ଅନୁପସ୍ଥିତ ଥିବାବେଳେ ତାଙ୍କ ସ୍ବାମୀ ରଣଜିତ ସାହୁ କାର୍ଯ୍ୟାଳୟରେ ବସିଥିବା ମହିଳାମାନେ ଦେଖିବାକୁ ପାଇଥିଲେ ।