କେନ୍ଦ୍ରାପଡ଼ା:ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ । କେନ୍ଦ୍ରାପଡା ରାଜନଗର ଥାନା ଅନ୍ତର୍ଗତ ମଧୁପୁର ଗାଁରୁ ଏହି ହତ୍ୟା ଅଭିଯୋଗ ଆସିଛି । ମୃତ ମହିଳା ଗ୍ରାମର ଶକୁନ୍ତଳା ଜେନା । ଶାଶୁଘର ଲୋକେ ଯୌତୁକ ଦାବି କରି ବୁଧବାର ରାତିରେ ଶକୁନ୍ତଳାଙ୍କୁ ହତ୍ୟା କରିଥିବା ଆରୋପ ଲଗାଇଛନ୍ତି ମୃତକଙ୍କ ବାପଘର ଲୋକ ।
ସୂଚନା ଅନୁସାରେ, 2007 ମସିହାରେ ଶକୁନ୍ତଳା ମଧୁପୁରର ଅମର ଜେନାଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ମହିଳାଙ୍କ ଦୁଇଟି ପୁଅ ଓ ଗୋଟିଏ ଝିଅ ମଧ୍ୟ ଅଛନ୍ତି । ତେବେ ବିବାହ ହେବାର କିଛିଦିନ ପରଠାରୁ ଆଜି ପର୍ଯ୍ୟନ୍ତ ସ୍ଵାମୀ ଓ ପରିବାର ଲୋକେ ତାଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେବା ସହିତ ବାପଘରୁ ଯୌତୁକ ଟଙ୍କା ଆଣିବାକୁ ଦାବି କରୁଥିଲେ । ଏନେଇ ଥାନାରେ ମଧ୍ୟ କଥା ପହଞ୍ଚିଥିବା ଜଣାପଡିଛି । ତେବେ ଗତକାଲି(ବୁଧବାର) ରାତିରେ ଶାଶୁଘର ଲୋକେ ମାରଧର କରୁଥିବା ଶକୁନ୍ତଳା ଫୋନ ଯୋଗେ ନିଜ ମାଆଙ୍କୁ ଜଣାଇଥିଲେ । ହେଲେ ଆଜି(ଗୁରୁବାର) ସକାଳୁ ଶକୁନ୍ତଳାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ ।