କେନ୍ଦ୍ରାପଡା:ଶାଶୁଘର ଲୋକେ ନିର୍ଯାତନା ଦେବାରୁ ବାପ ଘରେ ରହୁଥିଲେ ମହିଳା। ଆପୋଷ ବୁଝାମଣା ପାଇଁ ଭାଉଣଙ୍କ ପାଖକୁ ଆସିଥିଲେ ଦିଅର। କିନ୍ତୁ କୌଣସି ନିଷ୍କର୍ସ ନବାହିରିବାରୁ ଶେଷରେ ଭାଉଜଙ୍କୁ ଆକ୍ରମଣ କଲେ ଦିଅର ଓ ତାଙ୍କ ସହଯୋଗୀ। କଟୁରୀରେ ଆକ୍ରମଣ କରିବାରୁ ଗୁରୁତର ଆଉତ ହେଲେ ମହିଳା । ଶେଷରେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁଇ ସହଯୋଗୀଙ୍କ ସମେତ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗୁରୁତର ମହିଳା ହେଉଛନ୍ତି ଜିନମୟୀ।
ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ହାଟ ବାଣପୁର ଗାଁର ନୃସିଂହ ଚରଣ ସାହୁଙ୍କ ଝିଅ ଜିନମୟୀ ଗତ ୬ ବର୍ଷ ତଳେ କଟକତିଲକଣା ଗାଁରେ ବିବାହ କରିଥିଲେ। ବିବାହର ଦୁଇବର୍ଷ ପରେ ଜିନମୟୀଙ୍କର ଏକ ଝିଅ ହୋଇଥିବା ବେଳେ ଶାଶୁ ଘର ଲୋକେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ। ଫଳରେ ଗତ ୩ ବର୍ଷ ହେବ ସେ ବାପଘରକୁ ଚାଲି ଆସି ଏଠାରେ ରହିଥିଲେ। ତେବେ ଜିନମୟୀ ନିଜର ଏବଂ ନିଜ ଝିଅର ଭରଣ ପୋଷଣ ପାଇଁ ପରିବାର ଅଦାଲତର ଦ୍ୱାରସ୍ଥ ହୋଇଥିବା ବେଳେ ଏନେଇ କାଉନସେଲିଂ ମଧ୍ୟ ଜାରି ରହିଛି।
ଏଭଳିସ୍ଥଳେ ଜିନମୟୀଙ୍କ ଦିଅର ରମାକାନ୍ତ ଘଟଣାର ଆପୋଷ ସମାଧାନ ପାଇଁ ନିଜର ଦୁଇ ସହଯୋଗୀଙ୍କୁ ଧରି ହାଟ ବାଣପୁର ଗାଁରେ ଗତ ରବିବାର ଦିନ ମଧ୍ୟାହ୍ନରେ ପହଞ୍ଚିଥିଲେ। ଜିନମୟୀଙ୍କ ଝିଅର ଜନ୍ମଦିନ ଥିବା କାରଣରୁ ଉକ୍ତ ଦିନ ଘରେ ଖିଆପିଆ ବ୍ୟବସ୍ଥା କରାଯାଇଥିଲା। ତେବେ ଖାଇବା ପରେ ଭାଉଜଙ୍କ ସହ ଏକାନ୍ତରେ ଆଲୋଚନା କରିବା ପାଇଁ ରମାକାନ୍ତ କହିବାରୁ ଜିନମୟୀଙ୍କ ପରିବାର ଲୋକେ ଘର ବାହାରକୁ ଚାଲି ଆସିଥିଲେ ।