କେନ୍ଦ୍ରାପଡା: ପହଞ୍ଚି ପାରିଲାନି ୧୦୮ ଆମ୍ବୁଲାନ୍ସ । ରାସନ ସାମଗ୍ରୀ ପାଇଁ ଯାଇଥିବା ବେଳେ ରାସ୍ତାକଡରେ ପ୍ରସବ କଲେ ମହିଳା । ଖୋଦ୍ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଅଞ୍ଚଳରୁ ସାମ୍ନାକୁ ଆସିଛି ଜନନୀ ଯନ୍ତ୍ରଣାର ଏଭଳି କରୁଣ ଦୃଶ୍ୟ । ରାଜ୍ୟ ସରକାର ସୁସ୍ଥ ଶିଶୁ ଓ ସୁସ୍ଥ ମାଆ ନାରା ଦେଉଥିବାବେଳେ ଆମ୍ବୁଲାନ୍ସ ନଆସିବାରୁ ରାସ୍ତାକଡରେ ଜଣେ ମହିଳା ଶିଶୁଜନ୍ମ ଦେଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଉପକୂଳବର୍ତ୍ତୀ ଗୋଗୁଆ ପଞ୍ଚାୟତର ଚକଡା ଗୋଗୁଆ ଗ୍ରାମରେ ଏହି ଘଟଣା ଦେଖିବାକୁ ମିଳିଛି । ଯାହାକି ରାଜ୍ୟରେ ସ୍ବାସ୍ଥ୍ୟସେବା ଏବଂ ଆମ୍ବୁଲାନ୍ସ ସେବାର ବିକଳ ଚିତ୍ର ପଦାରେ ପକାଇଛି ।
ସୂଚନା ମୁତାବକ, ଗୋଗୁଆ ଗ୍ରାମର ଅକ୍ଷୟ କୁମାର ଜେନାଙ୍କ ସ୍ତ୍ରୀ ବନିତା ଜେନା ସରକାରୀ ରାସନ ସାମଗ୍ରୀ ଆଣିବା ପାଇଁ ଘରଠାରୁ ଏକ କିଲୋମିଟର ଦୂର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ । ପଞ୍ଚାୟତ କାର୍ଯ୍ୟାଳୟରେ ରାସନ ନେବା ପାଇଁ ପ୍ରବଳ ଭିଡ ଜମିଥିଲା । ଏତେ ଭିଡକୁ ଦେଖି ବନିତା ସେଠାରୁ ଲେଉଟି ଆସିଥିଲେ । ଘରକୁ ଫେରୁଥିବା ବେଳେ ବାଟରେ ପେଟ୍ରୋଲ ପମ୍ପ ନିକଟରେ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଯନ୍ତ୍ରଣାରେ ଛଟପଟ ହୋଇ ସେ ସେଠାରେ ବସି ଚିତ୍କାର କରିଥିଲେ । ତାଙ୍କର ପାଟି ଶୁଣି ଆଖପାଖର ମହିଳାମାନେ ଦୌଡ଼ି ଆସି ବନିତାଙ୍କୁ ଚାରିପଟୁ ଘେରି ଯାଇଥିଲେ । ମହିଳାଙ୍କୁ ହସ୍ପିଟାଲ ନେବାକୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ୨ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଆମ୍ବୁଲାନ୍ସ ପହଞ୍ଚି ପାରି ନଥିଲା ।