କେନ୍ଦ୍ରାପଡ଼ା: ଦଇବ ଦଉଡି ମଣିଷ ଗାଈ ଯେଣିକି ଟାଣଇ ସେଣିକି ଯାଇ । ଅର୍ଥାତ କେତେବେଳେ ଯେ ମଣିଷ ଭାଗ୍ୟରେ କଣ ଘଟିବ ସେଇଟା ହିଁ ଭଗବାନ ନିର୍ଣ୍ଣୟ କରିଥାନ୍ତି । ସାତ ଜନ୍ମର ସାଥୀ ହେବାକୁ ଶପଥ ନେଇଥିବା ସ୍ବାମୀ ହାତ ଛାଡ଼ିଦେଲା । ଦୁନିଆକୁ ଜାଣିବା ଆଗରୁ ଚାରି ଚାରିଟି ପିଲାଙ୍କ ମଥାରୁ ବାପାଙ୍କ ହାତ ଉଠିଗଲା । ବୃଦ୍ଧ ବୟସରେ ପୁଅକୁ ଝୁରିଝୁରି କୋହ ସମ୍ଭାଳି ପାରୁନି ରୋଗୀଣା ମାଆ । ଏମିତି ଏକ ଘଟଣା କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଘଡ଼ିଆମାଳ ଗ୍ରାମରେ ଘଟିଛି । ଏକମାତ୍ର ରୋଜଗାରିଆ ପୁଅ ଯେତେବେଳେ ଚାଲିଯାଏ, ସେତେବେଳେ କେବଳ ଭଗବାନ ହିଁ ଭରସା । ରୋଗୀଣା ସ୍ତ୍ରୀ ଏବଂ ବୃଦ୍ଧା ମାଆ ବୁକୁଫଟା ଚିତ୍କାରେ ନିସ୍ତବ୍ଧ ହୋଇପଡ଼ିଛନ୍ତି ଚାରି କଅଁଳ ଶିଶୁ । କିଏ ହେବ ଏମାନଙ୍କ ସାହାରା । ଛ’ ପ୍ରାଣୀଙ୍କୁ ନେଇ ଦୁନିଆରେ କେମିତି ଚଳିବେ ସେନେଇ ଚନ୍ତାରେ ଦ୍ରୌପଦୀ ପ୍ରଧାନ।
ଭଲକରି ଦେଖନ୍ତୁ ଏହି ଦୃଶ୍ୟକୁ । ଆପଣଙ୍କ ଆଖିରେ ବି ଲୁହ ଆସିଯିବ । ଏ ଦୃଶ୍ୟ ହେଉଛି ଜଣେ ସ୍ୱାମୀହରା ବିଧବା ମହିଳା, ନିରୁପାୟ ବୋହୂ ଏବଂ ଚାରି ଚାରୋଟି ବେସାହାରା ଝିଅର ମା'ର । ଯେଉଁ ପାଦ ଦିନେ ଘରୁ ବାହାରୁ ନଥିଲା ବିଧାତାର ନିଷ୍ଠୁର ନିଷ୍ପତ୍ତି ଆଜି ତାକୁ ଦାଣ୍ଡର ଭିକାରୀ କରିଦେଇଛି । ହାତରେ ବ୍ୟାଗ ଧରି ଘରଘର ବୁଲି ଭିକ୍ଷା ମାଗୁଛନ୍ତି ଦ୍ରୌପଦୀ । ଉଦ୍ଦେଶ୍ୟ ସ୍ୱାମୀଙ୍କର ଶୁଦ୍ଧିକ୍ରିୟା କରିବେ । ଦ୍ରୌପଦୀଙ୍କର ସ୍ୱାମୀ ରବୀନ୍ଦ୍ର ବାହାର ରାଜ୍ୟରେ ଦାଦନ ଶ୍ରମିକ ଭାବେ କାମ କରି ୪ ଝିଅ ସମେତ ବୁଢ଼ୀ ମାଆ ଓ ସ୍ତ୍ରୀକୁ ନେଇ ସାତପ୍ରାଣୀ କୁଟୁମ୍ବ ଭଲରେ ଚଳୁଥିଲେ । ହେଲେ ରକ୍ତ କର୍କଟ ରୂପକ ଅଦିନିଆ କଳା ବଉଦ ସୁନାର ସଂସାରକୁ ଜାଳି ପୋଡ଼ି ପାଉଁଶ କରିଦେଇଛି । ରବୀନ୍ଦ୍ରଙ୍କ ଚିକିତ୍ସା ପାଇଁ ଘରେ ଯାହା ଥିଲା ସବୁ ବିକ୍ରି କରିଦେଲେ ଦ୍ରୌପଦୀ । ପରିଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ସ୍ବାମୀ ।
ଅପରପକ୍ଷରେ ସ୍ୱାମୀଙ୍କ ଦେହାନ୍ତ ପରେ ତାଙ୍କର ଶୁଦ୍ଧିକ୍ରିୟା ପାଇଁ ପାଖରେ ଟଙ୍କାଟିଏ ନଥିବାରୁ ଅନ୍ୟ ପାଖରେ ହାତ ପତାଇବା ଛଡା କୌଣସି ଉପାୟ ନାହିଁ । କିନ୍ତୁ ଅଭାବ ଘରୁ ଗୋଡ଼ କାଢ଼ିବାକୁ ବାଧ୍ୟ କରିଛି । ସ୍ବାମୀଙ୍କ ଶୁଦ୍ଧିକ୍ରିୟା କରିବେ ବୋଲି ଦ୍ରୌପଦୀ ଘରଘର ବୁଲି ଭିକ ମାଗୁଛନ୍ତି । ଏତେ ବଡ଼ ଦୁନିଆରେ ଚାରି ଚାରିଟା ଝିଅର ବୋଝ ବୋହି ସେମାନଙ୍କୁ ସମାଜରେ ପ୍ରତିଷ୍ଠିତ କରାଇବା ଅସମ୍ଭବ ହୋଇଥିବା ବେଳେ ଦୁଇ ଓଳି ଦୁଇମୁଠା ଖାଇବା ସେମାନେ କିପରି ପାଇବେ ଓ ପୁଅର କ୍ରିୟାକର୍ମ କିପରି ହେବ ସେନେଇ ଚିନ୍ତାରେ ଦ୍ରୌପଦୀ ।