postmaster job application with fake certificate କେନ୍ଦ୍ରାପଡ଼ା: ଜିଲ୍ଲାରେ ସକ୍ରିୟ ରହିଛି ଜାଲ ସାର୍ଟିଫିକେଟ ରାକେଟ୍ । ଜାଲ ସାର୍ଟିଫିକେଟ ଦେଇ ପୋଷ୍ଟ ଅଫିସ୍ରେ ଚାକିରି ପାଇଁ କରିଥିଲେ ଆବେଦନ । ଯାଞ୍ଚ ବେଲେ ଧରା ପଡିଛନ୍ତି ଜଣେ ମହିଳା ଆଶାୟୀ । ଏହାପରେ ମହିଳାଜଣକ ପୋଷ୍ଟ ଅଫିସ୍ରେ ସାର୍ଟିଫିକୋଟ ଏବଂ ଆଧାରକାର୍ଟ ଛାଡି ଛୁ ମାରିଥିବା ବେଳେ କେନ୍ଦ୍ରାପଡା ପୋଲିସର ଦ୍ବାରସ୍ଥ ହୋଇଛନ୍ତି ଡାକ ବିଭାଗ ଅଧୀକ୍ଷକ । ଅଭିଯୋଗ ଅନୁସାରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ଅଭିଯୋଗ ଅନୁଯାୟୀ, ଗତ ଜାନୁଆରୀ ୨୭ ତାରିଖରେ ଗ୍ରାମୀଣ ଡାକସେବକ କେନ୍ଦ୍ରାପଡ଼ା ଡିଭିଜନ ଅଧୀନରେ ବ୍ରାଞ୍ଚ ପୋଷ୍ଟମାଷ୍ଟର ପାଇଁ ୩ଟି ଓ ସହାୟକ ବ୍ରାଞ୍ଚ ପୋଷ୍ଟମାଷ୍ଟର ପାଇଁ ୧୨ଟି ପୋଷ୍ଟର ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ବିଜ୍ଞପ୍ତି ହାଇଦ୍ରାବାଦର ସରକାରୀ ସଂସ୍ଥା ସିପେଟ ଜାରି କରିଥିବା ବେଳେ ଏହି ପୋଷ୍ଟ ପାଇଁ ବହୁ ମେଧାବୀ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ତେବେ ସିପେଟ ଚୟନ କରାଯାଇଥିବା ୧୫ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିବା ପରେ ଗତ ୨୧ ତାରିଖ ଦିନ ସାର୍ଟିଫିକେଟ ଯାଞ୍ଚ ପାଇଁ ୬ ଜଣ ପ୍ରାର୍ଥୀ କେନ୍ଦ୍ରାପଡ଼ା ଡାକ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହି ସାର୍ଟିଫିକେଟ ଯାଞ୍ଚ ସମୟରେ ଭଦ୍ରକ ଜିଲ୍ଲା ଲୁଣିଆ ଗ୍ରାମର ହୃଦାନନ୍ଦ ଜେନାଙ୍କ ଝିଅ ଅନୀତା ଜେନାଙ୍କ ସାର୍ଟିଫିକେଟ ଦେଖି ଚକିତ ହୋଇଯାଇଥିଲେ ଡାକ ଅଧୀକ୍ଷକ ।
ଅନୀତାଙ୍କ ମ୍ୟାଟ୍ରିକ ସାର୍ଟିଫିକେଟ ଅନୁଯାୟୀ ସେ ଉତ୍ତରପ୍ରଦେଶ ଆରିୟା ଏସଏସଏଚ ଏସଏସ ତରୁଲି ହାର୍ବଲ ହାଇସ୍କୁଲରୁ ୨୦୦୯ ମସିହାରେ ପାସ କରିଥିବା ଦେଖିବାକୁ ମିଳିଥିଲା ବେଳେ ସେ ସାହିତ୍ୟରେ ୧୦୦ରୁ ୯୯, ହିନ୍ଦୀରେ ୧୦୦ରୁ ୯୭, ଇଂରାଜୀରେ ୯୬, ବିଜ୍ଞାନରେ ୧୦୦ରୁ ୯୫, ଗଣିତରେ ୧୦୦ରୁ ୯୩ ଓ ସାମାଜିକ ବିଜ୍ଞାନରେ ୧୦୦ରୁ ୯୭ ରଖିଥିଲେ । ଅର୍ଥାତ ମୋଟ ୬୦୦ ନମ୍ବରରୁ ୫୭୯ ନମ୍ବର ରଖିଥିବା ଦେଖି ଯାଞ୍ଚ କରୁଥିବା ଅଧିକାରୀ ସନ୍ଦେହ ପ୍ରକଟ କରିଥିଲେ ।
ସଙ୍ଗେସଙ୍ଗେ ଅନଲାଇନ ମାଧ୍ୟମରେ ଉକ୍ତ ଉତ୍ତରପ୍ରଦେଶ ବୋର୍ଡକୁ ଯାଞ୍ଚ କରିବା ସହ ଅନୀତାଙ୍କ ସାର୍ଟିଫିକେଟରେ ଥିବା ୯୯୬୮୭୯୪ ରୋଲ ନମ୍ବର ଯାଞ୍ଚ କରିବା ପରେ ଏହି ରୋଲ ନମ୍ବର ତାଙ୍କର ହୋଇନଥିବା ଜାଣିବାକୁ ପାଇଥିଲେ । ପରେ ଏନେଇ ପ୍ରାର୍ଥୀ ଅନୀତାଙ୍କୁ ଅଧୀକ୍ଷକ ବିଭିନ୍ନ ପ୍ରଶ୍ନ କରିବାରୁ ସେ ସଠିକ ଉତ୍ତର ଦେଇନପାରି ହଡବଡେଇ ଯାଇଥିଲେ । ଏନେଇ ଅଧୀକ୍ଷକ ଥାନାରେ ମାମଲା କରିବା ପାଇଁ କହିବା ପରେ ଅନୀତା ପୋଷ୍ଟ ଅଫିସ୍ରେ ଦେଇଥିବା ସମସ୍ତ ଅରିଜିନାଲ ସାର୍ଟିଫିକେଟ ସହ ଆଧାର କାର୍ଡ ଛାଡି ଚମ୍ପଟ୍ ମାରିଥିଲେ । ପରେ ଏନେଇ ପୋଷ୍ଟ ଅଫିସ୍ ଅଧୀକ୍ଷକ ଟାଉନ ଥାନାରେ ଏତଲା ଦେବା ପରେ ଟାଉନ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ଇଟିଭି ଭାରତ, କେନ୍ଦ୍ରାପଡା