କେନ୍ଦ୍ରାପଡ଼ା: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଏଭଳି ସମୟରେ ସାଧାରଣ ଲୋକଙ୍କ ମୌଳିକ ସମସ୍ୟାକୁ ସମାଧାନ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ମନମତାଣିଆ କାର୍ଯ୍ୟ ଯୋଗୁଁ ପାଣି ପାଇଁ ବିକଳ ହେଉଛନ୍ତି ଗ୍ରାମବାସୀ ।
ନାମ ଫଳକରେ ରହିଯାଇଛି ବସୁଧା ଯୋଜନା ଓଭର ହେଡେଡ଼ ୱାଟର ଟ୍ୟାଙ୍କ ବା ଉଚ୍ଚ କ୍ଷମତା ବିଶିଷ୍ଟ ପାଣି ଟାଙ୍କି ଅଛି । ମାତ୍ର ଗ୍ରାମକୁ ପାଣି ଯୋଗାଣ ହେଉ ନାହିଁ । ୨୦୦ରୁ ଉର୍ଦ୍ଧ୍ବ ପରିବାର ବ୍ୟବହାର କରିବାକୁ ରହିଛି ଗୋଟିଏ ମାତ୍ର ନଳକୂପ । କୋଟି କୋଟି ଟଙ୍କା ବ୍ୟୟରେ ରହିଛି ମାଳମାଳ ଯୋଜନା । ମାତ୍ର ବିକାଶର ଚିହ୍ନବର୍ଣ୍ଣ ଦେଖାଯାଉନାହିଁ ଅଭିଯୋଗ ହୋଇଛି । ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ ।
କେନ୍ଦ୍ରାପଡ଼ା ଜିଲ୍ଲା ବଗଡ଼ା ପଞ୍ଚାୟତ କଚେରିପଡା ତୋଟାସାହିର ଲୋକଙ୍କୁ ଘାରୁଛି ଜଳକଷ୍ଟ । ଗ୍ରାମରେ ମାତ୍ର ଗୋଟିଏ ନଳକୂପ ଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ପାଣି ପାଇଁ ରାତି ପାହିଲେ ଗରା, ବାଲ୍ଟି ଧରି ଲୋକେ ଲାଇନ୍ରେ ଛିଡା ହେଉଛନ୍ତି । ଆଉ ଘଣ୍ଟେ ଅଧଘଣ୍ଟା ଅପେକ୍ଷା କଲେ ପାଣି ଟୋପାଏ ମିଳିଥାଏ । ମାତ୍ର ସେଥିରୁ ଫ୍ଲୋରାଇଡ଼ ଯୁକ୍ତ ହଳଦିଆ ରଙ୍ଗର ପାଣି ବାହାରୁଥିବାରୁ ପାନୀୟ ଜଳ ଭାବେ ବ୍ୟବହାର କରି ହେଉନାହିଁ । ତେଣୁ ପାନୀୟ ଜଳ ପାଇଁ ଲୋକଙ୍କୁ ଦୂରକୁ ଯିବାକୁ ପଡୁଥିବା ଲୋକେ କହିଛନ୍ତି । ପୂର୍ବରୁ ଗ୍ରାମରେ ଦୁଇଟି ନଳକୂପ ଥିଲା । ମାତ୍ର ଖରାପ ହୋଇଯିବାରୁ ଗୋଟିଏ ନଳକୂପ ହିଁ ତୋଟାସାହିବାସୀଙ୍କ ସାହା ଭରସା ପାଲଟିଛି । ଖରାଦିନ ହେଲେ ଲୋକଙ୍କ ସମସ୍ୟା ଦ୍ବିଗୁଣିତ ହୋଇଯାଏ ।
ପିଇବା ପାଣି ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଲୋକ ପ୍ରତିନିଧି, ସରକାରୀ ବାବୁଙ୍କ ପାଖରେ ବାରମ୍ବାର ଆପତ୍ତି କରି ଗ୍ରାମବାସୀ ନିରାଶ ହୋଇଛନ୍ତି । ଗତ ଅକ୍ଟୋବର ମାସରେ "ବସୁଧା" ଯୋଜନାରେ(Basudha Scheme) ପ୍ରତିଘରକୁ ପିଇବା ପାଣି ଯୋଗାଇବା ଲକ୍ଷ୍ୟରେ ଗାଁରେ ପାଣି ଟ୍ୟାପ ଲଗାଯାଇଥିଲା । ଅଳ୍ପ ଖର୍ଚ୍ଚରେ ଅଧିକ ମୁନାଫା ପାଇଁ ଠିକାଦାର ମନମତାଣିଆ କାର୍ଯ୍ୟ କରି ଚାରିଆଡେ ପାଇପ ବିଛାଇଥିଲେ । ମାତ୍ର ପାଣି ନଆସିବାରୁ ତୋଟାସାହି ବାସିନ୍ଦା ଦେଖିଥିବା ସ୍ବପ୍ନ ଅଧାରେ ରହିଯାଇଛି । କଚେରିପଡା ଠାରେ ବସିଥିବା ପାଣିଟାଙ୍କିଟିକୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନିଜସ୍ବ ଅନୁଦାନରେ ନିର୍ମାଣ କରିଥିଲେ । ଏହାକୁ "ବସୁଧା" ଯୋଜନାର ପ୍ରକଳ୍ପ ବୋଲି ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଟାଙ୍କି ଉପରେ ଲେଖି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାଯୁକ୍ତ ବୋର୍ଡ ଲଗାଇଥିବା ଗ୍ରାମବାସୀ କହିଛନ୍ତି । ଟାଙ୍କିଟି ରକ୍ଷଣାବେକ୍ଷଣ ଅଭାବରୁ ଏବେ ଫାଟି ଯାଇଥିବା ଦେଖାଯାଇଛି । ଯେଉଁଥିପାଇଁ ଆଗାମୀ ଦିନରେ କେବଳ ତୋଟାସାହି ବାସିନ୍ଦା ନୁହନ୍ତି ସମଗ୍ର ବଗଡ଼ା ପଞ୍ଚାୟତର ଲୋକମାନେ ପିଇବା ପାଣି ସୁବିଧାରୁ ବଞ୍ଚିତ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି । ପାନୀୟଜଳ ସମସ୍ୟାର ସମାଧାନ ଦିଗରେ ଗତ ଜିଲ୍ଲା ପରିଷଦ ବୈଠକରେ ନିର୍ବାହୀ ଯନ୍ତ୍ରୀଙ୍କୁ ତ୍ବରିତ ପଦକ୍ଷେପ ନେବା ପାଇଁ ତାଗିଦ କରାଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ତୋଟାସାହି ଲୋକମାନଙ୍କର ସମସ୍ୟାର ସମାଧାନ ହୋଇପାରିନାହିଁ ।
ଏନେଇ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଖୁବଶୀଘ୍ର ତୋଟାସାହି ଲୋକଙ୍କ ପାନୀୟଜଳର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ଆଗକୁ ପାଣି ନମିଳିଲେ କୌଣସି ନେତା କିମ୍ବା ପ୍ରଶାସକଙ୍କୁ ଗାଁରେ ପୁରାଇ ଦେବେନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ