ଦୁର୍ଘଟଣା ପରେ ରାସ୍ତାରୋକ କଲେ ଗ୍ରାମବାସୀ କେନ୍ଦ୍ରାପଡା:ରାସ୍ତା ନୁହେଁତ ମରଣଯନ୍ତା ପାଲଟିଛି କଟକ-ଚାନ୍ଦବାଲି ୯ନଂ ରାଜ୍ୟ ରାଜପଥ । ବାରମ୍ବାର ସଡକ ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଯାଉଛି । ଏନେଇ ଆଳି ପୋଲିସ ପକ୍ଷରୁ ଜିଲ୍ଲା ପରିବହନ ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଫଳରେ ସଡକ ଦୁର୍ଘଟଣା ଯୋଗୁଁ ଆଉ ଏକ ଜୀବନ ଦୀପ ଲିଭିଯାଇଛି । ଗତକାଲି ସନ୍ଧ୍ୟାରେ କଟକ-ଚାନ୍ଦବାଲି ୯ନଂ ରାଜ୍ୟ ରାଜପଥ ରାସ୍ତାର ଆଳି ଛପୋଲିଆ ନିକଟରେ ଦୁର୍ଘଟଣା ଘଟି ମହାବିଦ୍ୟାଳୟର ଅଧ୍ୟାପକ ବିଜୟ ସାହୁ ମୃତ୍ୟୁବରଣ କରିଛନ୍ତି । ଯାହାକୁ ନେଇ ତାତିଛନ୍ତି ସାଧାରଣ ଜନତା । ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏହାର ପ୍ରତିବାଦ କରି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ମୃତକ ବିଜୟ ସାହୁ ଆଳି ବଜାରରୁ ଘରକୁ ଫେରୁଥିବା ସମୟରେ ପଟ୍ଟାମୁଣ୍ଡାଇ ପାର୍ଶ୍ଵରୁ ତୀବ୍ର ଗତିରେ ଆସୁଥିବା ଏକ ପିକଅପ ଭ୍ୟାନ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ବିଜୟଙ୍କ ଦୁଇ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଅବସ୍ଥା ଗୁରୁତର ହୋଇପଡିଥିଲା । ଏହାପରେ ସଙ୍ଗେସଙ୍ଗେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ନିଆ ଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।
ତେବେ ବାରମ୍ବାର ଏହି ରାସ୍ତାର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଥିବା ବେଳେ ପ୍ରତିକାର ବ୍ୟବସ୍ଥା ପାଇଁ ସ୍ଥାନୀୟ ବାସିନ୍ଦା ରାଜପଥରେ ଟାୟାର ଜାଳି ରାସ୍ତାରୋକରେ ବସିଥିଲେ । ତେବେ ଦୀର୍ଘ ଏକଘଣ୍ଟା ପରେ ଆଳି ଆଇଆଇସି ଦିଲ୍ଲୀପ ସାହୁ, ପଟ୍ଟାମୁଣ୍ଡାଇ ଏସଡିପିଓ ସନ୍ଧ୍ୟାରାଣୀ ବେହୁରିଆ ଏବଂ ଆଳି ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଜୟଙ୍କ ମୃତଦେହ କଟକରୁ ଫେରି ନଥିବା ବେଳେ ତାଙ୍କ ପତ୍ନୀ ସ୍ବାମୀଙ୍କ ମୃତ୍ୟୁ ଖବର ପାଇ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ ହୋଇଥିଲେ ।
ଅନ୍ୟପଟେ ମୃତ ବିଜୟ ସାହୁଙ୍କର ପୁଅ ଆଜି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେବାକୁ ଥିବା ବେଳେ ବାପାଙ୍କ ମୃତ୍ୟୁ ନେଇ ତାଙ୍କୁ ଅବଗତ କରାଯାଇ ନାହିଁ । ଗତ ୩ ମାସ ମଧ୍ୟରେ ଆଳି ଛପୋଲିଆ ନିକଟରେ ଅନ୍ୟୁନ 20ରୁ ଊର୍ଦ୍ଧ୍ବ ଦୁର୍ଘଟଣା ଘଟିଥିବା ବେଳେ ଏଯାବତ 4 ଜଣଙ୍କ ଜୀବନ ହାନି ହୋଇଛି । ରାସ୍ତାରେ ଥିବା ଟର୍ଣ୍ଣିଂ ଓ ଆବଡା ଖବଡା ରାସ୍ତା ଯୋଗୁଁ ଲୋଡ଼ ଗାଡି ଗୁଡିକ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହୋଇ ଆସୁଛି । ଆଳିରେ ଏକ ବସ ରାସ୍ତା ତଳକୁ ଖସି ଯାଇଥିଲା । ଏହାପରେ ବି ପ୍ରଶାସନ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରି ନାହିଁ । ଅନ୍ୟପଟେ ବୁଧବାର ଦୁର୍ଘଟଣାରେ ପିକ ଅପ ଗାଡିର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ଉତ୍ତେଜିତ ଲୋକେ ଗାଡିକୁ ପୋଡ଼ିଦେବା ପାଇଁ ପ୍ରୟାସ କରିଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ।
ଇଟିଭି ଭାରତ, କେନ୍ଦ୍ରାପଡା