କେନ୍ଦ୍ରାପଡା: ଅବ୍ୟବସ୍ଥାରେ ଚାଲିଛି ପ୍ରାଣୀଧନ ଚିକିତ୍ସା କେନ୍ଦ୍ର। ଆଟେଣ୍ଡାଣ୍ଟଙ୍କ ଭରଷାରେ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଗୁଡିକର ଭବିଷ୍ୟତ। ଦାୟିତ୍ବରେ ଥିବା ପ୍ରାଣୀଧନ ନିରୀକ୍ଷକଙ୍କୁ ଦେଖିବା ସ୍ବପ୍ନ ହୋଇଥିବା ବେଳେ ଗୃହ ପାଳିତ ପଶୁଙ୍କ ସ୍ବାସ୍ଥ୍ୟ ସେବା ବର୍ତ୍ତମାନ ଘରୋଇ ଅନଭିଜ୍ଞ ଡାକ୍ତରଙ୍କ ହାତରେ । ଗୃହ ପାଳିତ ପଶୁପକ୍ଷୀଙ୍କ ଚିକିତ୍ସା ପାଇଁ ନିର୍ମିତ ପ୍ରାଣୀଧନ ଚିକିତ୍ସାକେନ୍ଦ୍ର ଗୁଡିକୁ ଆସୁ ନାହାନ୍ତି ଡାକ୍ତର।
କେନ୍ଦ୍ରାପଡ଼ା ବ୍ଲକ କୋରୋ ପଞ୍ଚାୟତ ଅଧିନ ତନାର ଗାଁରେ ଥିବା ପ୍ରାଣୀଧନ ଚିକିତ୍ସା କେନ୍ଦ୍ରରେ ମାସ ମାସ ଧରି ଡାକ୍ତର ଆସୁନଥିବାରୁ ଗୃହ ପାଳିତ ପଶୁପକ୍ଷୀ ମାନଙ୍କର ଚିକିତ୍ସା ଓ ଟୀକାକରଣ ହୋଇ ପାରୁନାହିଁ । ଏହି କେନ୍ଦ୍ର ଉପରେ କୋରୋ, ତନାର, ଗଇଦୁଆ, ପାଳକଣା, ପିଙ୍ଗଳ ଆଦି ଗାଁର 18ଟି ୱାର୍ଡର ପ୍ରାୟ 10000ରୁ ଉର୍ଦ୍ଧ୍ବ ଗାଈଗୋରୁ, ମଇଁଷି, ଛେଳି, ମେଣ୍ଢାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିର୍ଭର କରିଥାଏ। ସରକାରଙ୍କ ଦ୍ବାରା ବିଭିନ୍ନ ବିଜ୍ଞାପନ କେନ୍ଦ୍ର ମଧ୍ୟରେ ମରା ଯାଇଥିବା ବେଳେ ଏହାର କାର୍ଯ୍ୟକାରିତା ଏହି କେନ୍ଦ୍ରରେ ଦେଖାଯାଏ ନାହିଁ। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ମୁତାବକ ଏହି କେନ୍ଦ୍ରରେ ଅବସ୍ଥାପିତ ଥିବା ଡାକ୍ତର ବର୍ଷକରେ ଥରେ ଅଧେ ଦେଖା ଦିଅନ୍ତି। ଜଣେ ଆଟେଣ୍ଡାଣ୍ଟ ପଶୁପକ୍ଷୀଙ୍କ ସ୍ବାସ୍ଥ୍ୟ ଖରାପ ହେଲେ ଔଷଧ ଆଦି ଦେଉଥିବା ବେଳେ ଡାକ୍ତର ଦେଇଥିବା ମୋବାଇଲ ନମ୍ବରରେ ଯୋଗାଯୋଗ କଲେ "ମୁଁ ଅନ୍ୟ ସେଣ୍ଟରରେ କାମ କରୁଛି, ଆଜି ତମ ସେପଟେ ବାରି ନାହିଁ"ବୋଲି କହୁଥିବା ଅଭିଯୋଗ ହେଉଛି।