କେନ୍ଦ୍ରାପଡା:ଉଠାଦୋକାନୀଙ୍କ ଥଇଥାନ ପାଇଁ ଭେଣ୍ତିଙ୍ଗ ଜୋନ୍ ତିଆରି କରାଗଲା, ସ୍ଥାୟୀ ଥଇଥାନର କଥା କୁହାଗଲା ଓ ନେତା ଉଦ୍ଘାଟନ ବି କଲେ । କିନ୍ତୁ, ତିନି ବର୍ଷରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ତିନିମୁହାଣିରେ ହୋଇଥିବା ଭେଣ୍ତିଙ୍ଗ ଜୋନ୍ ଖୋଲା ଯାଇପାରିଲା ନାହିଁ । ଉଦ୍ଘାଟନ ପରଠୁ ଝୁଲୁଛି ତାଲା । ନିର୍ମାଣ ହୋଇଥିବା ଭେଣ୍ଡିଙ୍ଗ ଜୋନ ଗୁଡିକ କଳଙ୍କି ଲାଗିବା ସହ ଭାଙ୍ଗିରୁଜି ଗଲାଣି । ଏହାକୁ କିଭଳି କାର୍ଯ୍ୟକ୍ଷମ କରାଯାଇ ଉଠାଦୋକାନୀଙ୍କୁ ଥଇଥାନ କରାଯିବ ତାହା ଉପରେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନାହାନ୍ତି ।
କେନ୍ଦ୍ରାପଡା ମୁନିସିପାଲଟି ପକ୍ଷରୁ ତିନିମୁହାଣୀ ନିକଟରେ ଥିବା ଉଠା ଦୋକାନୀଙ୍କ ଥଇଥାନ ପାଇଁ ଭେଣ୍ତିଙ୍ଗ ଜୋନ୍ ତିଆରି କରାଗଲା । ସ୍ଥାୟୀ ଥଇଥାନର କଥା କୁହାଯାଇ ତିନି ବର୍ଷ ତଳେ ଉଚ୍ଛେଦ କରାଗଲା । ଭେଣ୍ତିଙ୍ଗ ଜୋନ୍ ନିର୍ମାଣ ସରିବା ତିନି ବର୍ଷ ପରେ ମଧ୍ୟ ଥଇଥାନ ହୋଇପାରୁ ନାହିଁ ଉଠାଦୋକାନୀ ମାନଙ୍କର । ଥଇଥାନ ପାଇଁ ନିର୍ମାଣ କରାଯାଇଥିବା ଭେଣ୍ତିଙ୍ଗ ଜୋନ୍କୁ ବି ଚାଲୁ କରାଯାଇପାରୁ ନାହିଁ । ଯାହାର ଚିତ୍ର ତିନିମୁହାଣିରେ ଦେଖିବାକୁ ମିଳିଛି । ଏଠାରେ ଉଠା ଦୋକାନୀଙ୍କ ଥଇଥାନ ଉଦ୍ଦେଶ୍ୟରେ ୪୮ଟି ଭେଣ୍ତିଙ୍ଗ ଜୋନ୍ ନିର୍ମାଣ କରାଯାଇଥିଲା । ୨୦୧୭ ମସିହା ଅଗଷ୍ଟ ୩୧ ତାରିଖ ସ୍ୱାୟତ୍ତ ଶାସନ ଦିବସରେ ଏହାର ଉଦ୍ଘାଟନ କରାଯାଇଥିଲା । କିନ୍ତୁ, ପରିତାପର ବିଷୟ ହେଉଛି ଯେ ଆଜିଯାଏଁ ଏହା ଖୋଲାଯାଇପାରିଲା ନାହିଁ । ୧୮ ଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଥିବା ଏହି ଭେଣ୍ତିଙ୍ଗ ଜୋନ୍କୁ କିଭଳି କାର୍ଯ୍ୟକ୍ଷମ କରାଯାଇପାରିବ, ତାହା ଉପରେ କୌଣସି ପଦକ୍ଷେପ ନେଉନାହାନ୍ତି କର୍ତୃପକ୍ଷ ବୋଲି ଅଭିଯୋଗ କରିଛନ୍ତି ଉଠାଦୋକାନୀ ।