ଓଡିଶା

odisha

ETV Bharat / state

Kendrapara Passenger Train: କେନ୍ଦ୍ରାପଡାକୁ କେବେ ଗଡିବ ଯାତ୍ରୀବାହୀ ଟ୍ରେନ ? - ଯାତ୍ରୀବାହୀ ରେଳ ଚଳାଚଳ ଦାବି

ପୁଣି ପାଣିରେ ମିଶିଲା କେନ୍ଦ୍ରାପଡାବାସୀଙ୍କ ଯାତ୍ରୀବାହୀ ରେଳ ଚଳାଚଳ ଆଶା । ସଂସଦରେ ଜିଲ୍ଲାକୁ ରେଳ ପ୍ରକଳ୍ପ ନଥିବା ନେଇ ମନ୍ତ୍ରୀଙ୍କ ସ୍ପଷ୍ଟୋକ୍ତି ପରେ ତେଜିଲା ବିବାଦ । ଅଧିକ ପଢନ୍ତୁ

Passenger Train Demend: ସ୍ବପ୍ନରେ ଯାତ୍ରୀବାହୀ ରେଳ ଚଳାଚଳ
Passenger Train Demend: ସ୍ବପ୍ନରେ ଯାତ୍ରୀବାହୀ ରେଳ ଚଳାଚଳ

By

Published : Dec 26, 2021, 12:01 PM IST

କେନ୍ଦ୍ରାପଡ଼ା: ରେଳ ଗଡିବ, ସମୟ ବଞ୍ଚିବ, କମ୍ ଖର୍ଚ୍ଚରେ କାମ ବି ହେବ । ଆମ ଅଞ୍ଚଳ ଏଣିକି ସହର ସହର ବାସିବ । ଏମିତି କେତେ କଣ ସ୍ବପ୍ନ ଦେଖିଥିଲେ କେନ୍ଦ୍ରାପଡାବାସୀ । ହେଲେ ସରକାର ସ୍ବପ୍ନକୁ ଭାଙ୍ଗିଲେନି ସତ କିନ୍ତୁ ଅଧୁରା ରଖିବାରେ ମଧ୍ୟ ପଛଘୁଞ୍ଚା ଦେଲେନି । କାରଣ ଜିଲ୍ଲାରେ ରେଳ ଲାଇନ ହେଲା, ଗାଡି ବି ଗଡିଲା । କିନ୍ତୁ ଯାତ୍ରୀବାହୀ ପରିବର୍ତ୍ତେ ମାଲବାହୀ ଗଡିଲା । ତଥାପି ଦିନେନା ଦିନେ ଯାତ୍ରୀବାହୀ ରେଳ ଗଡିବ ବୋଲି ଆଶା ରଖିଥିଲେ ଜିଲ୍ଲାବୀସ ।

Passenger Train Demend: ସ୍ବପ୍ନରେ ଯାତ୍ରୀବାହୀ ରେଳ ଚଳାଚଳ

କିନ୍ତୁ ଏହି ସଂସଦ ଅଧିବେଶନରେ କେନ୍ଦ୍ରାପଡାକୁ କୌଣସି ରେଳ ପ୍ରକଳ୍ପ ହବାର ନାହିଁ ବୋଲି ରେଳମନ୍ତ୍ରୀ ପ୍ରକାଶ କରିବା ପରେ ମଉଳି ଯାଇଛି ସବୁ ଆଶା । ଏହା ସରକାରଙ୍କ 'ଆମ୍ବ ଦେଖାଇ ଆମ୍ବେଡା' ନୀତି ସଦୃଶ ପାଲଟିଛି । ବହୁ ବାଦ-ପ୍ରତିବାଦ ପରେ ଗତବର୍ଷ ଜୁଲାଇ ୩୧ ରେ କେନ୍ଦ୍ରାପଡାରେ ଗଡିଥିଲା ରେଳ । ପ୍ରଥମଥର ପାଇଁ ଏକ ମାଲବାହୀ ଟ୍ରେନ ପାରାଦ୍ୱୀପରୁ ହରିଦାସପୁର ଆସୁ ଥିବାବେଳେ କେନ୍ଦ୍ରାପଡ଼ା ମାର୍ଶାଘାଇ ନୂଆଗାଁ ଷ୍ଟେସନରେ ଜନସାଧାରଣ ଏହି ଟ୍ରେନକୁ ଅଟକାଇ ଜିଲ୍ଲାରେ ପ୍ରଥମେ ଯାତ୍ରୀବାହୀ ରେଳ ଗଡ଼ିବା ପରେ ମାଲବାହୀ ଟ୍ରେନ ଚଳାଯାଉ ବୋଲି ଦାବି କରିଥିଲେ ।

ତେବେ ବହୁ ବାଦବିବାଦ ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ, ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦଙ୍କ ମିଳିତ ଆଲୋଚନା ପରେ ଖୁବଶୀଘ୍ର ଜିଲ୍ଲାରେ ଯାତ୍ରୀବାହୀ ରେଳ ଚଳାଚଳ କରିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ମାଲବାହୀ ରେଳ ଚଳାଚଳକୁ ଦୀର୍ଘ ଦେଢ଼ବର୍ଷ ପୁରିଥିଲା ମଧ୍ୟ ଯାତ୍ରୀବାହୀ ରେଳ ଦେଖିବା ସ୍ୱପ୍ନ କେବଳ ସ୍ୱପ୍ନରେ ହିଁ ରହିଯାଇଛି କେନ୍ଦ୍ରାପଡାବାସୀଙ୍କ ପାଇଁ । ହରିଦାସପୁର-ପାରାଦ୍ୱୀପ ରେଳପଥଟି ଦୀର୍ଘ ୮୨ କିଲୋମିଟର ହୋଇ ଥିବାବେଳେ ଏହି ରେଳପଥ କେନ୍ଦ୍ରାପଡ଼ା ଜିଲ୍ଲାଦେଇ ୪୫ କିଲୋମିଟର ଯାଇଛି । ଅନ୍ୟପଟେ ଯାଜପୁର ଓ ଜଗତସିଂହପୁର ଜିଲ୍ଲାର ଅର୍ଥନୀତି ଏହି ରେଳପଥ ଯୋଗୁଁ ସୁଦୃଢ଼ ହେଉ ଥିବାବେଳେ କେନ୍ଦ୍ରାପଡ଼ାବାସୀ "ଭକୁଆ" ହେବା ସାର ହୋଇଛି ।

କେନ୍ଦ୍ରାପଡ଼ା ଜିଲ୍ଲାକୁ ଖୁବଶୀଘ୍ର ଯାତ୍ରୀବାହୀ ରେଲଗାଡି ଚଳାଚଳ ପାଇଁ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ଗଣେଶ୍ୱର ବେହେରା ପ୍ରଥମେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖି ଥିବାବେଳେ ଗତ ନଭେମ୍ବର ୧୦ ତାରିଖରେ ମାଲବାହୀ ରେଳରୋକ କରି ଖୁବଶୀଘ୍ର ଜିଲ୍ଲାକୁ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ଦାବି କରିଥିଲେ । ଭିତ୍ତିଭୂମିର ଅଭାବ ରହିଥିବା କାରଣରୁ ଏବେ ଏହି ହରିଦାସପୁର-ପାରାଦ୍ୱୀପ ରେଳପଥରେ(Haridaspur-Paradeep railway Project) ଯାତ୍ରୀବାହୀ ରେଳ ଚଳାଚଳ କରିବା ପାଇଁ କୌଣସି ଯୋଜନା ନଥିବା ସଂସଦରେ ସ୍ପଷ୍ଟ କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପ୍ରଶ୍ନରେ ରେଳମନ୍ତ୍ରୀଙ୍କ ଏହି ଉତ୍ତର ଜିଲ୍ଲାବାସୀଙ୍କ ମନରେ ରେଳରେ ବସିବ ଆଶାକୁ ମାଟିରେ ମିଶାଇଦେଇଛି । ଅନ୍ୟପଟେ କେନ୍ଦ୍ରାପଡ଼ାକୁ ଯାତ୍ରୀବାହୀ ରେଳ ଚଳାଚଳ ଦାବି ନେଇ କରାଯାଉଥିବା ଆନ୍ଦୋଳନକୁ ଆହୁରି ତୀବ୍ର ଓ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ ନେତା ଗଣେଶ୍ୱର ବେହେରା ଏବଂ CPIM ଜିଲ୍ଲା ସମ୍ପାଦକ ।


ସେପଟେ କଟକରୁ ପାରାଦ୍ୱୀପ ଭାୟା ହରିଦାସପୁର ଏବଂ ଭଦ୍ରକରୁ ପାରାଦ୍ୱୀପ ଭାୟା ହରିଦାସପୁର ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ଦାବି କରିଛନ୍ତି ଜିଲ୍ଲାବାସୀ । କେନ୍ଦ୍ର ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲାରେ ଯାତ୍ରୀବାହୀ ରେଳ ଚଳାଚଳ ସମ୍ଭବ ହୋଇପାରୁନାହିଁ ବୋଲି ବିଜେଡି ଅଭିଯୋଗ କରୁ ଥିବାବେଳେ ଭିତ୍ତିଭୂମି କଥା ଦୋହରାଇଛନ୍ତି ବିଜେପି ନେତା । ବିଜେପି ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଏହି ରେଳପଥ ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁ ଥିବାବେଳେ ଭିତ୍ତିଭୂମି ଯୋଗାଇ ଦେବାରେ ରାଜ୍ୟ ସରକାର ଆନ୍ତରିକତା ଦେଖାଉ ନଥିବା ଅଭିଯୋଗ କରିଛନ୍ତି ।

ତେବେ ଶାସକ-ବିରୋଧୀଙ୍କ କାଦୁଅ ଫିଙ୍ଗା ରାଜନୀତି କେବେ ଶେଷ ହେଉଛି ଆଉ ଜିଲ୍ଲାବାସୀଙ୍କ ସ୍ବପ୍ନ ପୂରଣ ହେଉଛି ତାହା ଦେଖିବାକୁ ବାକି ରହିଲା ।


କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details