କେନ୍ଦ୍ରାପଡା: ଏଇ ପୃଥିବୀ କେଡେ ସୁନ୍ଦର ! ସୂର୍ଯ୍ୟୋଦୟ ଠାରୁ ଆରମ୍ଭ କରି ସୂର୍ଯ୍ୟାସ୍ତ, ଜହ୍ନ, ତାରା, ରଙ୍ଗବେରଙ୍ଗୀ ଫୁଲ, ପଶୁପକ୍ଷୀ, ସବୁଜ ପାହାଡ, ଝରଣାର ସୌନ୍ଦର୍ଯ୍ୟକୁ ମଣିଷ ଉପଭୋଗ କରେ । ହେଲେ ଜଣେ ଦୃଷ୍ଟିବାଧିତ ଏହି ଅନୁଭବରୁ ବଞ୍ଚିତ ରହିଥାଏ । ରଙ୍ଗୀନ ଦୁନିଆରେ ସେ ଅନ୍ଧାରୀ ଜୀବନ ବଞ୍ଚେ । ସେଭଳି କିଛି ଦୃଷ୍ଟିବାଧିତଙ୍କ ଜୀବନରେ ଆଶାର ଆଲୋକ ସାଜି ତାଙ୍କୁ ନୂଆ ଦୁନିଆ ଦେଖାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ରାଜ୍ୟପାଳଙ୍କ ସହଯୋଗରେ ଜନ୍ମରୁ ଦେଖିପାରୁନଥିବା ଦୁଇ ଜଣ ନାବାଳକ ନିଜ ଆଖିର ଜ୍ୟୋତି ଫେରିପାଇଛନ୍ତି । ଯାହାପାଇଁ ରାଜ୍ୟପାଳଙ୍କୁ ସେମାନେ ଭୁରି ଭୁରି ପ୍ରଶଂସା କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି ।
ଡେରାବିଶ ଥାନା ଅନ୍ତର୍ଗତ ବେଲାରପୁର ଗାଁର କୁନି ପୁଅ ଶଙ୍କର ଦାସ । ପିଲାଟି ବେଳରୁ ତା'ର ସ୍ୱଳ୍ପ ଦୃଷ୍ଟିଦୋଷ ଥିଲା । ପରେ ଆଖି ସମ୍ପୂର୍ଣ୍ଣ ଖରାପ ହୋଇଗଲା । ପୁଅର ଏହି ଅବସ୍ଥା ଦେଖି ଗରୀବ ବାପା ଜଟାଧାରୀ ମାର୍ଶାଘାଇ ସ୍ଥିତ ଆରତୀଦେବୀ ଅନ୍ଧ, ମୁକ ଓ ବଧିର ବିଦ୍ୟାଳୟରେ ତାଙ୍କୁ ଛାଡିଥିଲେ । ଶଙ୍କର ବ୍ରେଲରେ ପାଠ ପଢୁଥିଲା । ସ୍ଥାନୀୟ ଅଞ୍ଚଳର ଆଉ ଜଣେ ରାଜେଶ ଦାସ ନାମକ ଦୃଷ୍ଟିବାଧିତ ନାବାଳକ ମଧ୍ୟ ସେଠାରେ ରହୁଥିଲେ । ରାଜେଶଙ୍କ ବାପା ଲକ୍ଷ୍ମଣ ମଳିକ ଦିନ ମଜୁରିଆ ହୋଇଥିବାରୁ ପୁଅର ଆଖି ଅପରେସନ ପାଇଁ ସକ୍ଷମ ହୋଇପାରି ନଥିଲେ । ଏପଟେ ଦୃଷ୍ଟିବାଧିତ ରାଜେଶ ମନରେ ପାଠ ପଢିବା ପ୍ରତି ପ୍ରବଳ ଆଗ୍ରହ ଥିଲା । ଏତିକି ବେଳେ ଅସହାୟ ଶଙ୍କର ଓ ରାଜେଶଙ୍କ ଜୀବନରେ ନୂଆ ଆଶା ଓ ସମ୍ଭାବନା ସାଜି ଆସିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ।
ଏହାମଧ୍ୟ ପଢନ୍ତୁ: ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା ଘଟଣା: ୨୪କୁ ବୃଦ୍ଧି ପାଇଲା ଓକିଲଙ୍କ ଗିରଫଦାରୀ ସଂଖ୍ୟା